Latest Odisha News

ପୁରପଲ୍ଲୀରେ ପରିଚିତ ପାଲା ଗାୟକ: ବାଗ୍ମୀ ନାରାୟଣ ମହାରଣା

ଭୁବନେଶ୍ୱର: ପ୍ରସିଦ୍ଧ ପାଲା ଗାୟକ ଭାବେ ଗାୟକ ବାଗ୍ମୀ ନାରାୟଣ ମହାରଣା ଓଡିଶାର ପୁରପଲ୍ଲୀରେ ପରିଚିତ । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ ପାଲା ଯେଉଁମାନଙ୍କ କାନରେ ଥରେ ପଡୁଛି, ସେହି ଯୁବକମାନେ ଶେଷ ପର୍ଯ୍ୟନ୍ତ ଅଟକି ରହୁଛନ୍ତି ଆଉ ମନଧ୍ୟାନ ଦେଇ ପାଲା ଶୁଣୁଛନ୍ତି ।

୧୯୫୯ ମସିହା ଡିସେମ୍ବର ମାସ ୧୧ ତାରିଖରେ ଜଗତସିଂହପୁର ଜିଲ୍ଲା ଗରାମ ଗ୍ରାମରେ ନାରାୟଣ ମହାରଣା ଜନ୍ମଗ୍ରହଣ କରିଥିଲେ । ବାପା କୀର୍ତ୍ତନ ମହାରଣା ଏବଂ ମାଆ ନେତ୍ରମଣିଙ୍କ କୋଳମଣ୍ଡନ କରିଥିଲେ ନାରାୟଣ । ତେବେ ତାଙ୍କୁ ଯେତେବେଳେ ମାତ୍ର ୩ ବର୍ଷ ବୟସ ବାପାଙ୍କର ଦେହାନ୍ତ ହେଲା । ବଡବାପା କାର୍ତ୍ତିକ ମହାରଣା ଏବଂ ବଡମାଆ ନିଶାମଣି ସେତେବେଳେ ନାରାୟଣଙ୍କୁ କୋଳେଇ ନେଇଥିଲେ, ନିଜ ପୁଅ ପରି ତାଙ୍କୁ ମଣିଷ କରିଥିଲେ । ପିଲା ଦିନରୁ ନାରାୟଣଙ୍କର କଳା, ସଙ୍ଗୀତ ପ୍ରତି ରୁଚି ରହିଥିଲା । ବାପା କୀର୍ତ୍ତନ ଗାୟକ ଥିଲେ, ବାପାଙ୍କ ପରି ନାରାୟଣ ମଧ୍ୟ ପ୍ରଥମେ କୀର୍ତ୍ତନ ଗାଉଥିଲେ । ମାଟ୍ରିକ ପଢା ଶେଷ ପରେ ସେ ଗହୀରପଡା ୟୁପି ସ୍କୁଲରେ ବେସରକାରୀ ଭାବେ ଶିକ୍ଷକତା କରିଥିଲେ । ତେବେ ପିଲାଦିନରୁ ଯେଉଁ ପାଲା ଗାୟକ ହେବାର ନିଶା ରହିଥିଲା, ଏହି ସମୟରେ ତାହା ବାସ୍ତବ ରୂପନେଲା ।

ଶିକ୍ଷକତା ଛାଡି ପାଲା ଗାଇବା ପାଇଁ ମନ ବଳାଇଲେ ନାରାୟଣ ମହାରଣା । ପ୍ରଥମେ ସେ ରାଜେନ୍ଦ୍ର କୁମାର ମହାନ୍ତିଙ୍କଠାରୁ ପାଲା ଶିଖିଲେ । ପରେ ୧୯୮୦ ମସିହାରେ ଗାୟକ ଶେଖର ଜଗନ୍ନାଥ ବେହେରା ତାଙ୍କୁ ଚାମର ପ୍ରଦାନ କଲେ । ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ ଏବଂ ଗାୟକ ପ୍ରଦୀପ ଭ୍ରମରବର ମହାରଣାଙ୍କୁ ନିଜର ଆଦର୍ଶ ମନେ କରି ପାଲା ଜଗତରେ ପାଦ ପଢାଇଥିଲେ ନାରାୟଣ । ପାଲା କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ହେଲେ ସଂସ୍କୃତ ସାହିତ୍ୟରେ ଦକ୍ଷତା ବଢାଇବା ନିତାନ୍ତ ଆବଶ୍ୟକ ହୋଇଥାଏ । ପଣ୍ଡିତ ଧନେଶ୍ୱର ନନ୍ଦ ସଂସ୍କୃତ ସାହିତ୍ୟରେ ନାରାୟଣଙ୍କୁ ମାର୍ଗଦର୍ଶନ ଦେଇଥିଲେ ।

ଉଚ୍ଚକୋଟିର ଗାୟନଶୈଳୀ ସହ ସ୍ପଷ୍ଟ ଉଚ୍ଚାରଣ ଏବଂ ଉଭୟ ଓଡିଆ ଓ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟ ନାରାୟଣ ମହାରଣାଙ୍କୁ ସାରା ରାଜ୍ୟରେ ପରିଚୟ ଦେଇଛି । ଜଣେ ପ୍ରସିଦ୍ଧ ପାଲା ଗାୟନାଚାର୍ଯ୍ୟ ସହ ସେ ମଧ୍ୟ ଜଣେ ସୁବକ୍ତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଓଜସ୍ୱିନୀ ବକ୍ତୃତା ଦେଇ ଦର୍ଶକଙ୍କ ମନମୋହିନିଅନ୍ତି । ଜଣେ ସ୍ପଷ୍ଟବାଦୀ ଏବଂ ନିର୍ଭିକ ବ୍ୟକ୍ତିତ୍ୱର ଅଧିକାରୀ ନାରାୟଣ ମହାରଣା । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର, ସମ୍ମାନ ଏବଂ ଉପାଧି ମିଳିଛି । ଅନେକ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ । ସାହିତ୍ୟ ସେବା ସହ ସାଧାରଣ ଜନତାଙ୍କ ସେବା କରିବା ମଧ୍ୟ ତାଙ୍କର ଜୀବନର ବ୍ରତ ।

Comments are closed.