Latest Odisha News

BREAKING NEWS

ଉନ୍ମୋଚିତ ହେଲା ବିମଳ କିଶୋର ମିଶ୍ରଙ୍କର ଜୀବନୀ ‘ଅବିଚଳ ବିମଳ’…

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କର ୨୫ତମ ପୂଣ୍ୟତିଥି ଅଗଷ୍ଟ ତା ୨୨ ରିଖ ଦିନ ପାଳନ କରାଯାଇଛି । ଏହି ଅବସରରେ ତାଙ୍କର ଜୀବନୀ ପୁସ୍ତକ ‘ଅବିଚଳ ବିମଳ’ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ତାଙ୍କ ପରିବାର ତରଫରୁ ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଇଡକଲ୍ ହାଉସ ଅଡିଟୋରିୟମ୍ ଠାରେ ଆୟୋଜିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ପଦ୍ମବିଭୁଷଣ ସୀତାକାନ୍ତ ମହାପାତ୍ର ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ବିମଳବାବୁଙ୍କର ଜ୍ୟେଷ୍ଠ ପୁତ୍ର ଉମାକାନ୍ତ ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ।

ବରେଣ୍ୟ ଅତିଥିଗଣ ବିମଳ କିଶୋର ମିଶ୍ରଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଅସାଧାରଣ ଜୀବନ ଓ ସଫଳତା ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳସ୍ଥିତ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବିଷ୍ଣୁପ୍ରୀୟା ପଣ୍ଡାଙ୍କୁ ପରିବାର ତରଫରୁ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରସ୍କାର ରାଶି ବାବଦକୁ ୫୦୦୦ ଟଙ୍କା ଏବଂ ଏକ ରନିଂ ଶିଲ୍ଡ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିମଳ କିଶୋର ମିଶ୍ରଙ୍କର ଜୀବନୀ “ଅବିଚଳ ବିମଳ”ର ଶୁଭ ଉନ୍ମୋଚନ ମଧ୍ୟ କରାଯାଇଥିଲା ।

ପୁସ୍ତକଟିକୁ ରଚନା କରିଛନ୍ତି ବିମଳବାବୁଙ୍କର କନିଷ୍ଠ ପୁତ୍ର ତଥା ସରକାରଙ୍କର ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଶଶିକାନ୍ତ ମିଶ୍ର । ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକର ସମୀକ୍ଷା କରିଥିଲେ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲେ । ବିମଳବାବୁଙ୍କର ତୃତୀୟ ପୁତ୍ର ସୁକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆକାଶବାଣୀ ଓ ଦୁରଦର୍ଶନର ବରିଷ୍ଠ ସମ୍ବାଦ ପାଠକ ମଳୟ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.