ନୂଆଦିଲ୍ଲୀ : ପଞ୍ଜାବ ବନ୍ଦ କରିଦେଲେ ଚାଷୀ । କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନଥିବା ପ୍ରତିବାଦରେ ପୂରା ପଞ୍ଜାବରେ ସେମାନେ ବନ୍ଦ ପାଳନ କରିଛନ୍ତି । ଚାଷୀମାନେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନରେ ଏହି ବନ୍ଦ ପାଳନ ହୋଇଛି । ଧରେରି ଜାଟନ୍ ଟୋଲ୍ ପ୍ଲାଜା ନିକଟରେ ଧାରଣାରେ ବସିଥିଲେ ଚାଷୀ । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା । ଅମୃତସର ସହରର ପ୍ରବେଶ ପଥ ଗୋଲ୍ଡେନ୍ ଗେଟ୍ ନିକଟରେ ମଧ୍ୟ ସେମାନେ ଧାରଣାରେ ବସି ରହିଥିଲେ ।
ଚାଷୀମାନଙ୍କ ଆନ୍ଦୋଳନ ଯୋଗୁ ପଟିଆଲା-ଚଣ୍ଡିଗଡ଼ ରାସ୍ତାରେ ମଧ୍ୟ ଯାତାୟତ ବନ୍ଦ ହୋଇଥିଲା । ତେବେ ମେଡିକାଲ୍, ବିମାନ ବନ୍ଦରକୁ ଯାଉଥିବା ଲୋକେ, ପରୀକ୍ଷା କିମ୍ବା ବାହାଘର ଆଦି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ସେମାନେ ଛାଡ଼ି ଦେଇଥିଲେ । ଡିସେମ୍ବର ୩୦ ତାରିଖରେ ପଞ୍ଜାବ ବନ୍ଦ ପାଳନ ଡାକରା ଦେଇଥିଲେ ଚାଷୀ ନେତା ସରୱନ୍ ସିଂହ ପନ୍ଧେର୍ । MSP ସମେତ ଚାଷୀଙ୍କର ଅନେକ ଦାବି ରହିଥିବା ବେଳେ କେନ୍ଦ୍ର ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ସେମାନେ ଅଭିଯୋଗ କରିଛନ୍ତି ।୩ ଶହରୁ ଅଧିକ ଦିନ ହେବ ଚାଷୀମାନେ ପଞ୍ଜାବ-ହରିୟାଣା ସୀମାରେ ଧାରଣାରେ ବସି ରହିଛନ୍ତି ।
ଦିଲ୍ଲୀ ଯାଇ ଦାବି ଜଣାଇବାକୁ ଚାଷୀମାନେ ଜିଦ ଧରିଛନ୍ତି । କିନ୍ତୁ ହରିୟାଣା ପୋଲିସ ଜାତୀୟ ରାଜପଥ ଉପରେ ଲୁହା ଗ୍ରୀଲରେ ଘର କରି ସେମାନଙ୍କ ବାଟ ଓଗାଳିଛି । ଚାଷୀମାନେ ୩ ଥର ଦିଲ୍ଲୀ ଚଲୋ ଆନ୍ଦୋଳନ କରିଥିବା ବେଳେ ହରିୟାଣା ପୋଲିସ ପାଣି, ଲୁହବୁହା ବାଷ୍ପ ଏବଂ ରବର ଗୁଳି ମାଡ଼ କରି ସେମାନଙ୍କୁ ଘାଇଲା କରି ଅଟକାଇଛି । ସେପଟେ ଚାଷୀଙ୍କ ଦାବୀ ପୂରଣ ନେଇ ବରିଷ୍ଠ ଚାଷୀ ନେତା ଜଗଜିତ ସିଂହ ଦଲେୱାଲଙ୍କ ଅନଶନ ୩୫ ଦିନରେ ପହଞ୍ଚିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲାଣି । ଦଲେୱାଲଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ, ପଞ୍ଜାବର ଭଗୱନ୍ତ ସିଂହ ମାନ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଡେଡଲାଇନ୍ ଡିସେମ୍ବର ୩୧ ରହିଛି । କିନ୍ତୁ କୌଣସି ପ୍ରକାର ମେଡିକାଲ୍ ସହାୟତାକୁ ଅଗ୍ରାହ୍ୟ କରି ଚାଲିଛନ୍ତି ଦଲେୱାଲ୍
Comments are closed.