Latest Odisha News

BREAKING NEWS

ମଇଳା ପୋଷାକ ଯୋଗୁଁ ଚାଷୀଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି; ନିଜଆଡୁ ମାମଲା ଦାୟର କଲେ ଏନଏଚଆରସି

ନୂଆଦିଲ୍ଲୀ: ମଇଳା ପୋଷାକ ପିନ୍ଧିଥିବାରୁ କୃଷକଙ୍କୁ ମେଟ୍ରୋ ଟ୍ରେନରେ ଚଢ଼ିବାକୁ ବାରଣ କରାଯାଇଛି । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଜାଜୀନଗର ଷ୍ଟେସନରେ ।

ସୂଚନା ଅନୁସାରେ, ଫେବୃଆରୀ ୨୬ରେ ଜଣେ କୃଷକ ମୁଣ୍ଡରେ ଅଖା ଧରି  ରାଜାଜୀନଗର ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ଜଣେ ରେଳ କର୍ମଚାରୀ ତାଙ୍କୁ ଟ୍ରେନ ଭିତରକୁ ଯିବାକୁ ମନା କରିଥିଲେ ।  ଯଦିଓ ଚାଷୀଙ୍କ ନିକଟରେ ମେଟ୍ରୋ ଟ୍ରେନ୍ ଟିକେଟ୍ ଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ତେବେ ଅନେକ ଯାତ୍ରୀ ରେଳ ଅଧିକାରୀଙ୍କ ନିଷ୍ପତ୍ତିକୁ  ବିରୋଧ କରୁଥିବା ଦେଖିବାକୁ ମିଳିଛି । ମେଟ୍ରୋ ଟ୍ରେନରେ ଯାତ୍ରା କରିବା ପାଇଁ ଡ୍ରେସ୍ କୋଡ୍ ଅଛି ନା କେବଳ ଭିଆଇପି ହିଁ ମେଟ୍ରୋ ଟ୍ରେନରେ ଯାତ୍ରା କରିପାରିବେ ବୋଲି  ସେଠାରେ  ଥିବା କିଛି ଯାତ୍ରୀ ଅଧିକାରୀ ଜଣଙ୍କୁ ପ୍ରଶ୍ନ ପଚାରିଥିଲେ ।

ଟ୍ରେନରେ ଥିବା ଲୋକେ ଏହି ଘଟଣାକୁ ବିରୋଧ କରିବା ପରେ ଟ୍ରେନ୍ ଭିତରକୁ ଯିବାକୁ କୃଷକଙ୍କୁ ଅନୁମତି ଦିଆଯାଇଥିଲା ।

ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ଦାୟର କରିଛନ୍ତି  । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,‘‘ ଯଦି ମିଳିଥିବା ସୂଚନା ସତ ହୋଇଥାଏ, ତେବେ ଏହା ମାନବିକ ଅଧିକାରର ଉଲ୍ଲଂଘନ ଅଟେ । କୌଣସି ବ୍ୟକ୍ତିଙ୍କୁ ସେ ପିନ୍ଧିଥିବା ପୋଷାକ କାରଣରୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାରୁ ରୋକାଯାଇ ପାରିବ ନାହିଁ । ଯଦି କୌଣସି ଆପତ୍ତି ଜନକ ସାମଗ୍ରୀ ଥାଏ, ତେବେ ଏହାକୁ କେବଳ ଆଇନର ବ୍ୟବସ୍ଥା ଅନୁଯାୟୀ ଅଟକାଇ ଦିଆଯାଇପାରିବ ।’’

ଏଥିସହ ଏନଏଚଆରସି କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ତଥା ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଳିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି । ଚାରି ସପ୍ତାହ ମଧ୍ୟରେ  ବିସ୍ତୁତ ରିପୋର୍ଟ  ଦେବାକୁ କହିଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ବେଙ୍ଗାଲୁରୁ ମେଟ୍ରୋ ଅଧିକାରୀଙ୍କୁ ବାରଖାସ୍ତ କରାଯାଇଛି । ଏଥିସହ ଏହି ଘଟଣାକୁ ନେଇ ଅଧିକାରୀ ଜଣକ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.