Latest Odisha News

ପ୍ରତ୍ୟାହୃତ ହେଲା କୃଷକ ଆନ୍ଦୋଳନ, ୧୧ରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ଏନେଇ ଘୋଷଣା କରିଛି ମିଳିତ କୃଷକ ମୋର୍ଚ୍ଚା । ଦୀର୍ଘ ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି । ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ସରକାର ଆଣିଥିବା ୩ଟି କୃଷି ଆଇନ ପ୍ରତ୍ୟାହୃତ ପରେ ଆନ୍ଦୋଳନ ଭାଙ୍ଗିଛନ୍ତି ଚାଷୀ ସଙ୍ଗଠନ । ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ଏହି ଦିନ କୃଷକମାନେ ଏକତ୍ରିତ ହୋଇ ଏକ ଉତ୍ସବ ପାଳନ କରିବେ । ସେହିପରି ଜାନୁଆରୀ ୧୫ରେ ପୁଣି ଗୋଟିଏ ସମୀକ୍ଷା ବୈଠକ ବସିବ । ବୈଠକରେ କୃଷକ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯିବ । ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ହେବା ପରେ କୃଷକମାନେ ଏହାକୁ ସେମାନଙ୍କର ବିଜୟ ବୋଲି କହିଛନ୍ତି ।

୨୦୨୦ ମସିହା ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକରି ସୀମାରେ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାର ଆଣିଥିବା ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଉଭୟ ଚାଷୀ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଚାଷୀଙ୍କୁ ବୁଝାଇବାକୁ ସରକାର ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ । ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜାରି ରହିଥିଲା ଆନ୍ଦୋଳନ । ଶେଷରେ ଏହି ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର ।

Comments are closed.