ଭୁବନେଶ୍ବର: ରାଜଧାନୀରେ ଶନିବାର ସନ୍ଧ୍ୟାରେ ଏକ ଏସୟୁଭି ଧକ୍କାରେ ମା- ଝିଅଙ୍କ ମୃତ୍ୟୁ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏସୟୁଭିର ମାଲିକଙ୍କୁ ଗିରଫ କରିପାରିନାହିଁ।
ତେବେ ୨ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଏସୟୁଭି ଚିହ୍ନଟ ହୋଇଥିଲା। ଯାହାକି ପରେ ଜଟଣୀ ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ଗାଡିଟି କୁସୁମାଟି ଅଞ୍ଚଳର ସୋମନାଥ ବେହେରାଙ୍କର ବୋଲି ଜଣାପଡ଼ିଛି। ତେବେ ପ୍ରତ୍ୟକ୍ଷଦର୍ଶିିଙ୍କ ଅନୁସାରେ ସୋମନାଥଙ୍କ ହାତରେ ମଦ ବୋତଲ ଥିଲା।
ଫୁଲେଶ୍ୱରୀ ବସ୍ତିର ରେବତୀ ରାଉଲ ତାଙ୍କ ଆଠ ବର୍ଷ ଏବଂ ଦୁଇ ବର୍ଷର ଛୁଆଙ୍କ ସହିତ ଚାଲି ଚାଲି ପାତ୍ରପଡ଼ାରେ ଏନଏଚ-୧୬ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସେମାନେ ଜଣେ ସମ୍ପର୍କୀୟଙ୍କ ଘରୁ ରାଖୀ ବାନ୍ଧି ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣାଟି ଘଟିଥିଲା। ଏସୟୁଭି ଧକ୍କାରେ ଛୋଟ ଝିଅଟିର ଘଟଣାସ୍ଥଳେ ମୃତ୍ୟୁ ହୋଇଯାଇଥିବା ବେଳେ ରେବତୀକୁ ଆହତ ଅବସ୍ଥାରେ ମେଡିକାଲ ନିଆଯାଇଥିଲା। ତେବେ ଦୁଇ ବର୍ଷର ପୁତ୍ରଟି ଏମସ୍-ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ତାର ଅବସ୍ଥା ସ୍ଥିର ଥିବା ଜଣାପଡିଛି।
RTO-2 ର MVI ସନାତନ କୁମାର କହିଛନ୍ତି ଯେ ଦୁର୍ଘଟଣାରେ ଜଡିତ ଥିବା SUV ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ଓ “ଗାଡ଼ିର ମାଲିକଙ୍କୁ ଗିରଫ କରି ତାଙ୍କ ଲାଇସେନ୍ସ ରଦ୍ଦ କରାଯିବା ନେଇ ପୋଲିସ ସୂଚନା ଦେଇଛି।
ଦୁର୍ଘଟଣାକୁ କେନ୍ଦ୍ର କରି ଫୁଲେଶ୍ୱରୀ ବସ୍ତିର ବାସିନ୍ଦାମାନେ ଡ୍ରାଇଭରଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଦାବି କରିଥିଲେ। ଯାହାକୁ ନେଇ ସେମାନେ ଦୁଇ ଦିନ ଧରି ରାଜପଥ ଅବରୋଧ ମଧ୍ୟ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ନେଇ ଘୋଷଣା ହୋଇଛି।
Comments are closed.