ବ୍ରିଟେନ୍:ପିଲାମାନେ ଯାହା କରନ୍ତି ସେଥିରେ ସବୁ ବାପାମାଆ ଖୁସି ହୁଅନ୍ତି । ପିଲାମାନଙ୍କର ସବୁକିଛି ଜିନିଷକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ପ୍ରତ୍ୟେକ ବାପାମାଆ । ଯଦି ପିଲାଙ୍କର କୌଣସି ପ୍ରିୟ ଜିନିଷ ହଜିଗଲେ ପ୍ରତ୍ୟେକ ବାପାମାଆ ବ୍ୟସ୍ତ ହୋଇପଡ଼ନ୍ତି । ବ୍ରିଟେନ୍ର ଜଣେ ବ୍ୟକ୍ତି ନିଜ ଝିଅର ଟେଡ଼ି ବିୟରକୁ ନ ପାଇଁ ବିବ୍ରତ ହେବା ସହ ଦୋକାନ ଆଗରେ ପୋଷ୍ଟର ମାରିଛନ୍ତି । ଏଥି ସହ ସୋସିଆଲ ମିଡ଼ିଆରେ ବି ସେୟାର କରିଛନ୍ତି ।
ବ୍ରିଟେନର ବାସିନ୍ଦା ଟାଇଲର କେନେଡି । ତାଙ୍କର ଚାରି ବର୍ଷର ଗୋଟେ ଝିଅ ଅଛି । ସେ ତାକୁ ବହୁତ ଭଲ ପାଆନ୍ତି । ଝିଅର ପ୍ରତ୍ୟେକ ଜିନିଷକୁ ଯତ୍ନ ସହକାରେ ରଖିଥାନ୍ତି । ଦିନେ ଝିଅର ଏକ ଟେଡ଼ି ବିୟର ଦେଖିବାକୁ ପାଇଲେ ନାହିଁ । ଘରର ସବୁଆଡ଼େ ଖୋଜିବାକୁ ଲାଗିଲେ । ତଥାପି ମିଳିଲା ନାହିଁ । ପରେ ଜାଣିବାକୁ ପାଇଲେ ଯେ, ଘରର କିଛି ଜିନିଷ ଦାନସୂତ୍ରରେ ଦେବା ସମୟରେ ସେହି ପେଟିରେ ଏହି ଟେଡ଼ି ଚାଲିଯାଇଛି । ଦୋକାନକୁ ଯାଇ ମଧ୍ୟ ପଚରାଉଚରା କଲେ । ଏହାର ଫଟୋ ଦେଖାନ୍ତୁ, ଯଦି ଦୋକାନରେ ଥିବ ତାହାହେଲେ ଆମେ ଜଣାଇବୁ ବୋଲି ଦୋକାନ ପକ୍ଷରୁ କୁହାଯାଇଥିଲା । ଏହି ଟେଡ଼ିର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ସତ । ହେଲେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟାଇଲର ଏହାର ଏକ ପୋଷ୍ଟର ଦୋକାନ ବାହାରେ ଲଗାଇଛନ୍ତି । ସେଥିରେ ଉଲ୍ଲେଖ ରହିଛି ଯେ, ଆମେ ଏହି ଟେଡି ବିୟରକୁ ଖୋଜୁଛୁ , ଯାହାକୁ ଆମେ ଭୁଲ୍ରେ ଦାନ କରିଦେଇଛୁ । ଏଥିରେ ଜଣେ ମାଆଙ୍କର ସ୍ମୃତି ଅଛି, ଏହି ଟେଡ଼ି କାହା ପାଖରେ ଥିଲେ ଦୟାକରି ଦୋକାନକୁ ଫେରାଇ ଦିଅନ୍ତୁ, ଏହାର ପ୍ରତିବଦଳରେ ଆମେ ଟଙ୍କା ବି ଦେବୁ ।
ଟାଇଲର କହିଛନ୍ତି ଯେ , ଏହି ଟେଡି ବିୟରରେ ଝିଅର ମା’ଙ୍କ ସ୍ମୃତି ରହିଛି । ଯେତେବେଳେ ମୋ ପତ୍ନୀଙ୍କ ମୃତ୍ୟୁ ହେଲା, ସେତେବେଳେ ଝିଅର ଜେଜେମା ଏକ ଟେଡି ବିୟର ତିଆରି କରି ସେଥିରେ ପତ୍ନୀଙ୍କ କଥାକୁ ରେକର୍ଡ କରିଥିଲେ । ଯେତେବେଳେ ମୋ ଝିିଅ ଅଝଟ ହୁଏ, ଏହି କଥା ଶୁଣାଇଦେଲେ ସେ ଶାନ୍ତ ହୋଇଯାଏ । ମୋ ଝିଅ ଏହି ଟେଡ଼ିକୁ ବହୁତ ଭଲ ପାଏ । ଆମେ ମଧ୍ୟ ଅନୁଭବ କରୁ ଯେ ସେ ଆମ ମଧ୍ୟରେ ଅଛନ୍ତି । ସେ ଏକମାତ୍ର ଜିନିଷ ଯାହା ମାଧ୍ୟମରେ ସେ ଆମ ସହିତ ଥିଲେ । ନିକଟରେ ଭୁଲରେ ଏହାକୁ ଦାନ କରିଦେଇଛୁ ।
Comments are closed.