Latest Odisha News

ନିଜର କୁନି ଝିଅକୁ ମାରି ଆତ୍ମହତ୍ୟା କଲେ ବାପା

ନୟାଗଡ: ନୟାଗଡରେ ହୃଦୟ ବିଦାରକ ଦୃଶ୍ୟ । ବନ୍ଦ ଘର ଭିତରୁ ମିଳିଲା ବାପା-ଝିଅଙ୍କ ମୃତଦେହ। ନିଜର ୫ ବର୍ଷର ଝିଅଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ବାପା । ଏପରି କିଛି ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସହରର ଦେବୋତ୍ତର ଲେନ ୪/୧ ରେ। ଉକ୍ତ ଲେନ୍‌ର ୬ନଂ ଘର ଭିତରୁ ବାପା ପୁଲକ ବିଶ୍ୱାଳ ଓ ତାଙ୍କର ୫ ବର୍ଷର ଝିଅ ପଲକ ବିଶ୍ବାଳ ମୃତଦେହ ଉଦ୍ଧାର କରିଛି ପୋଲିସ ।

ସୂଚନାଯୋଗ୍ୟ, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ପୂର୍ବେ ୨ୟ ବିବାହ କରିଥିଲେ ମୃତକ ପୁଲକ ବିଶ୍ୱାଳ । ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇ ଫେରିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ବାପାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡ ଉପରୁ ଅନୁରୂପ ଭାବେ ଉଦ୍ଧାର କରିଥିଲା ପୋଲିସ ।

ତେବେ ତେବେ ଝିଅକୁ କୌଣସି ବିଷାକ୍ତ ଜିନିଷ ଖାଇବାକୁ ଦେଇ ପରେ ବାପା ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରି ଏନେଇ ତଦନ୍ତ ଜାରି ରଖିଛି । ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।ଅନ୍ୟପକ୍ଷରେ ପୋଲିସ ପୁଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆତ୍ମହତ୍ୟା ପଛର କାରଣ କ’ଣ ସେନେଇ ଏପର୍ଯ୍ୟନ୍ତ ପୋଲିସ କିଛି ସୁରାଗ ପାଇନାହିଁ ।

 

Comments are closed.