Latest Odisha News

ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରକୁ କୁନି ପୁଅକୁ ଫିଙ୍ଗିଲେ ବାପା

ଭୋପାଳ: ରାଜନୈତିକ ଆକ୍ରୋଶ  ହେଉ ବା ଅସନ୍ତୋଷର ପରିପ୍ରକାଶ କରିବା ପାଇଁ ହେଉ,  ଲୋକେ ମନ୍ତ୍ରୀ-ନେତାଙ୍କ ମଞ୍ଚକୁ ଲକ୍ଷ୍ୟକରି ପଚା ଟମାଟୋ, ଅଣ୍ଡା ଏପରିକି ମୋବାଇଲ ଫିଙ୍ଗିଥାନ୍ତି । ଏପରି ଘଟଣା ଅନେକ ସ୍ଥାନରେ ଦେଖିଥିବେ । ହେଲେ ମନ୍ତ୍ରୀଙ୍କ ମଞ୍ଚ ଉପରକୁ ବାପା ନିଜ ଶିଶୁପୁତ୍ରକୁ ଫିଙ୍ଗିବ ? ଏକଥା କ’ଣ କେବେ ବିଶ୍ୱାସଯୋଗ୍ୟ ହୋଇପାରେ ? ହେଲେ ଏମିତି ଜଣେ ନିଷ୍ଠୁର ବାପା ଅଛନ୍ତି ଯାହାଙ୍କ ପାଖରେ ଏହା ସମ୍ଭବ ହୋଇପାରେ । ଏ ବାପା ଜଣକ ମଧ୍ୟ ପ୍ରଦେଶର ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର କୁଶବାହା ସମାଜର ଏକ ସମ୍ମିଳନରେ ଯୋଗ ଦେବା ପାଇଁ ସାଗର ଯାଇଥିଲେ । ଏହି ସମୟରେ ସେଠାରେ  ଭିଡ ଭିତରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ନିଜ କୁନି ପୁଅକୁ ମଞ୍ଚ ଉପରକୁ ଫିଙ୍ଗି ଦେଲା । ପିଲାଟି କିଛି ଦୂର ଯାଇ ତଳେ ପଡିଲା । ଏହା ଦେଖି ସଭାରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା । ଉପସ୍ଥିତ ଲୋକେ ପିଲାଟିକୁ ଉଠାଇ ମା‘କୁ ହସ୍ତାନ୍ତର କରିଥିଲେ ।

କାନ୍ଦୁଥିବା ପିଲାଟିକୁ ମା’ ଉଠାଇ ନେଇ ତାର କୋଳରେ ଚାପି ଧରିଥିଲା । ତେବେ ଏପରି ଦୃଶ୍ୟ ଦେଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉକ୍ତ ମହିଳାଙ୍କୁ ମଞ୍ଚ ଉପରକୁ ଡାକିଥିଲେ ଏବଂ ତାଙ୍କ ଦୁଃଖ ଶୁଣିଥିଲେ । ମା‘ କାନ୍ଦି କାନ୍ଦି ମୁ୍ଖ୍ୟମନ୍ତ୍ରୀଙ୍କୁ କହିଥିଲା, ପିଲାଟିର ହାର୍ଟରେ ଛୋଟ କଣାଟିଏ ଅଛି । ଏହାର ଅପରେଶନ ପାଇଁ ଅର୍ଥର ଆବଶ୍ୟକତା ରହିଛି । ହେଲେ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ।

ମହିଳାଙ୍କ ଦୁଃଖ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ।

ରୋଗିଣା ଶିଶୁପୁତ୍ରକୁ ଫିଙ୍ଗି ଦେଇଥିବା  ଏହି ବ୍ୟକ୍ତିଙ୍କ ନାଁ ହେଉଛି ମୁକେଶ ପଟେଲ । ପେଷାରେ ସେ ଜଣେ ଶ୍ରମିକ । କେସଲୀ ତହସିଲ ଅଧୀନସ୍ଥ  ସହଜପୁର ଗାଁର ନିବାସୀ ଅଟନ୍ତି । ସେ ତାଙ୍କ ପତ୍ନୀ ନେହା ଓ କୁନି ପୁଅକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସହାୟତା ଆଶାରେ ଆସିଥିଲେ । ହେଲେ ମୁକେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ଦିଆ ଯାଇ ନ ଥିଲା ।ସେଥିପାଇଁ ସେ ନିଜ କୁନିପୁଅକୁ ମଞ୍ଚ ସାମ୍ନାରେ ଲାଗିଥିବା ବାରିକେଟ ଭିତରକୁ ଫିଙ୍ଗି ଦେଇଥିଲେ ।

 

Comments are closed.