Latest Odisha News

BREAKING NEWS

ପିତୃ ଦିବସ: ବାପାଙ୍କ ପାଇଁ ଦିନ ଟିଏ

ଭୁବନେଶ୍ଵର: ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ। ସେ ସ୍ୱର୍ଗ ଠାରୁ ବଡ ସେ ପରମ ତପ ଠାରୁ ଅଧିକ। ପିତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦେଶ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ପିତୃ ଦିବସ ବା ଫାଦର୍ସ ଡେ ପାଳନ କରାଯାଏ। ଏବେ ଭାରତର ଅନେକ ଜନ ସାଧାରଣ ପାଶ୍ଚ୍ୟାତ ସଂସ୍କୃତିକୁ କିଛି ମାତ୍ରାରେ ଆଦରି ନେଇଛନ୍ତି। ଏଥିପାଇଁ ଆମେରିକାରେ ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ସମାନ ଦିନରେ ଏହାକୁ ପାଳନ କରାଯାଉଛି।

ପିତାଙ୍କ ଋଣ ପରିଶୋଧ କରିବାକୁ ପୂରା ଜୀବନ କମ୍ ପଡିଯାଇଥାଏ, ତଥାପି ଏହି ଦିନ ପାଳନ କରିବା ପଛରେ ଏକ ବିଶେଷ କାରଣ ଅଛି, ଯାହା ଆମେରିକାର ଝିଅ ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ପ୍ରଥମେ ଉପସ୍ଥାପିତ ହୋଇଥିଲା। ସୋନୋରା ସ୍ମାର୍ଟ ଡୋଡ ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ। ଛୋଟବେଳେ ଡୋଡଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିବାବେଳେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟର୍ ଡୋଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ । ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ।

ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି ବୋଲି ସେତେବେଳେ ଡୋଡ ଅନୁଭବ କରିଥିଲେ । ସୋନୋରା ସ୍ମାର୍ଟ ଡୋଡଙ୍କ ପିତା ବୃତ୍ତିରେ ଜଣେ କୃଷକ ଥିଲେ। ସର୍ବପ୍ରଥମେ ସେ ନିଜର ପିତାଙ୍କ ଜନ୍ମଦିନରେ ‘ଫାଦର୍ସ ଡ଼େ’ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରେ ଏହାକୁ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରିବା ପାଇଁ ସ୍ଥିର କରାଗଲା।

‘ଫାଦର୍ସ ଡ଼େ’ ସର୍ବପ୍ରଥମେ ୧୯୧୦ ମସିହା, ଜୁନ ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା। ଏହା ପରେପରେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ଜୁନମାସ ତୃତୀୟ ରବିବାରକୁ ‘ଫାଦର୍ସ ଡେ’ ଭାବେ ପାଳନ ଲାଗି ଅନୁମତି ଦେଇଥିଲେ । ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା।

 

Comments are closed.