Latest Odisha News

BREAKING NEWS

ଜନ୍ମ ମାଟି ସୁନ୍ଦରଗଡ଼ରେ ୪ ହକି ଅଲମ୍ପିଆନଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା

ସୁନ୍ଦରଗଡ଼ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ କରାଯାଇଛି । ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଥିଲା ।

ଟୋକିଓ ଅଲିମ୍ପିକ୍ସ ଖେଳି ଫେରିବା ପରେ ନିଜ ଜନ୍ମ ମାଟିରେ ଆସି ପହଞ୍ଚିଛନ୍ତି ସୁନ୍ଦରଗଡ଼ର ଏହି ୪ ହକି ତାରକା । ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ବେଳେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ପରିବାର, କ୍ରୀଡ଼ାପ୍ରେମୀ ତଥା ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ ସହରରେ ପାରିଜାତ ପାର୍କଠାରୁ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ହକି ତାରକାମାନଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ହକି ପ୍ରେମୀ, କ୍ରୀଡ଼ାବିତ୍ ଏବଂ ଜନସାଧାରଣ ସୁନ୍ଦରଗଡ଼ ସହରକୁ ଆସିଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବିକାଶ ଭବନଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହକି ତାରକାଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏବଂ ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତୀୟ ହକି ଟିମ୍ ଆମ ସ୍ୱପ୍ନ ସାକାର କରିପାରିଛନ୍ତି । ବିଶେଷକରି ସୁନ୍ଦରଗଡ଼ର ୪ ଜଣ ଖେଳାଳି ଅଲିମ୍ପିକ୍ ଖେଳିବା ଆମ ପାଇଁ ବଡ଼ କଥା । ଭାରତୀୟ ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ଦେଇ ଏକ ନୂଆ ଉଚ୍ଚତାକୁ ନେବାରେ ସାହାଯ୍ୟ କରିଛନ୍ତି । ତେଣୁ ଏହି ଖେଳ ଆହୁରି ଆଗକୁ ଯିବା ସହିତ ଆଗାମୀ ଦିନରେ ଓଡ଼ିଶାରୁ ଭଲ ଖେଳାଳି ବାହାରି ପାରିବେ ବୋଲି କହିଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ୍ ରାଜିନ୍ ଏକ୍କା, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅନିଲ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.