ଲକ୍ଷ୍ନୌ: ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ମହିଳା ଜଜ୍ । ନ୍ୟାୟ ନ ମିଳିବାରୁ ସେ ଏପରି ଚିଠି ଲେଖିଛନ୍ତି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଆହ୍ଲାବାଦ ହାଇକୋର୍ଟଙ୍କୁ ଏହି ମାମଲାରେ ରିପୋର୍ଟ ତଲବ କରିଛନ୍ତି ।
ସୂଚନା ଅନୁସାରେ, ବାରବାଙ୍କୀରେ ଥିବା ସମୟରେ ମହିଳା ଜଜଙ୍କୁ ଜିଲ୍ଲା ଜଜ୍ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଜଜ୍ ତାଙ୍କୁ ତାଙ୍କ ସହ ରହିବାକୁ ବାଧ୍ୟ କରୁଥିଲେ । ମହିଳା ଜଜଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରତି ଦୁର୍ବ୍ୟବହାର ବ୍ୟବହାର ସହ ଅପମାନଜନକ ମନ୍ତବ୍ୟ କରାଯାଇଛି । ଯେଉଁଥିରେ ସେ ଆଘାତ ପାଇଛନ୍ତି ଓ ଇଚ୍ଛାମୃତ୍ୟୁ ପାଇଁ ତାଙ୍କୁ ଅନୁମତି ଲୋଡା।
ସେ ଚିଠିରେ ଲେଖିଛନ୍ତି, ‘ମୁଁ ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରେ । ହେଲେ ଭାରତରେ ନିର୍ଯାତନା ସହି ବଞ୍ଚିବାକୁ ହେବ କାରଣ ଏହା ହିଁ ଜୀବନର ବାସ୍ତବ ସତ୍ୟ । ଅଭିଯୋଗ କଲେ ଏଠି କେହି ଶୁଣିବାକୁ ନାହିଁ । ଅଭିଯୋଗ ପରେ କେବଳ ନିର୍ଯାତନା ହିଁ ମିଳେ’ । ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ମୋତେ ନ୍ୟାୟ ପାଇଁ କେବଳ ୮ସେକେଣ୍ଡ ମିଳିଥିଲା । ମୁଁ ନିଜ ପାଇଁ ପକ୍ଷ ରଖିପାରିଲି ନାହିଁ । ଯଦି କେହି ମହିଳା ସିଷ୍ଟମ ସହ ଲଢେଇ କରିବାକୁ ଭାବେ ତେବେ ସେ ହାରିଯାଏ । ଜଣେ ଜଜ ହିସାବରେ ମୁଁ ଏହା ଅନୁଭବ କରିଛି’ ।
ପ୍ରକୃତରେ ଜଜଙ୍କୁ ନିର୍ଯାତନା ନେଇ ସେ ୨୦୨୨ରୁ ହାଇକୋର୍ଟଠାରୁ ଆରମ୍ଭ କରି ବିଭାଗ ଯାଏ ଚିଠି ଲେଖିବା ସହ ୧୦୦୦ରୁ ଅଧିକ ମେଲ ମଧ୍ୟ କରିଛନ୍ତି । ଏହାପରେ ଏକ ଯାଞ୍ଚ କମିଟି ଗଠନ କରାଗଲା । ଯାଞ୍ଚ ୩ମାସ ମଧ୍ୟରେ ଶେଷ ହେବାର ଥିଲା ମାତ୍ର ଏପର୍ଯ୍ୟନ୍ତ କିଛି ହୋଇପାରିଲା ନାହିଁ । ୨୦୨୩ ମେ ମାସ ଏଯାଏ ଶୁଣାଣି ହୋଇପାରିଲା ନାହିଁ । କେହି ତାଙ୍କ କଥା ଶୁଣିଲେନି । ଦିଲ୍ଲୀରେ ତାଙ୍କୁ କେବଳ ୮ସେକେଣ୍ଡ ମିଳିଲା ଓ ଏହାପରେ ତାଙ୍କ ଆବେଦନ ଖାରଜ କରିଦିଆଗଲା । ବର୍ତ୍ତମାନ ତାଙ୍କ ନିକଟରେ କୌଣସି ରାସ୍ତା ନାହିଁ, ତେଣୁ ଇଚ୍ଛାମୃତ୍ୟୁ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।
ଏନେଇ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଅତୁଲ ଏମ କୁରହେକର ଆହ୍ଲାବାଦ ହାଇକୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ମହିଳା ଜଜ୍ କରିଥିବା ଅଭିଯୋଗ ନେଇ ସୂଚନା ମାଗିବା ସହ କାର୍ଯ୍ୟବାହୀ ସ୍ଥିତି ସଂପର୍କରେ ପଚାରିଛନ୍ତି । ସୋସିଆଲ ମିଡିଆରେ ଚିଠି ଭାଇରାଲ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ।
Comments are closed.