ଫେମିନିଜମ
ପ୍ରତୀକ୍ଷା ଜେନା
ଡିସେମ୍ବର ବାଇଶରେ
ତୋ ସହ ମୋର ଶେଷ ସହବାସ,
ତୁ ଭାବିନେ ସେଇ ନିଶାର୍ଦ୍ଧରୁ
ଦେହ ମୋର ପୁଂଜାଏ ଜୁଳୁଜୁଳିଆ ପୋକ,
ରାସ୍ତାକଡ ନର୍ଦମାରେ ସାଲୁବାଲୁ
ଜୀବନ ପାଇଁ ବିକଳ ଆହା ସେଇ ପରାଂଗପୁଷ୍ଟ,
ତୁ ଭାବିନେ ଜଣ ଜଣ, କେତେଜଣ ଯେ
ଯୋନିରେ ମୋର ପୃଥିବୀ ଅନ୍ୱେଷଣ କଲେ,
ମୋର ମୃତଦେହରେ ଖଂଡ ଖଂଡ ହାଡ
ପୁଳାପୁଳା ମାଂସ ଯୋଡି, ପଂଜରାରେ ମୁହଁ ଗୁଂଜି
ଗୀତ ଗାଇଲେ ।
ମୁଁ ନିର୍ବାକ୍ ।
ନା, ଏବେ କେବେ ନୁହଁ,
ନାଳନ୍ଦା କାନ୍ଥରେ ଇତିହାସ ଲେଖାହେଲାବେଳେ ବି,
ନର୍ତକୀର ବାହୁବନ୍ଧରେ ଷଡଯନ୍ତ୍ର କରୁଥିବା
ପ୍ରିୟତମ ମୋର,
ତତେ ମୁଁ ପ୍ରାଣ ଭରି ଭଲପାଏ ।
ତୁ ଭାବିନେ, ଦେହ ମୋର ବିଜ୍ଞାପନ,
ମୁଁ ଦେହସର୍ବସ୍ୱ
ଦେହ ଧରି ମନ୍ଦିରରେ, ମନ୍ତ୍ରୀଂକ ଆଗରେ
ରିତ୍କାର କରୁଚି,
ସମ୍ମାନ ଲାଗି ଶୋଇବା ଶେଯରେ,
କୁଂକୁରି ଯାଉଚି ଦି ଇଂଚ୍ ଦୂରତାରେ ।
ରକ୍ତ ଜୁଡୁବୁଡୁ ମାସିକିଆ କପଡା ଧରି,
ହକ୍ ଦାବିରେ ହିନସ୍ତା ହେଉଚି ।
ଦେହକୁ କ୍ଷେପଣାସ୍ତ୍ର କରି
ଡେଇଁପଡିଚି କିଛିକିଛି ଦୃଶ୍ୟ କିଛି ଅଦୃଶ୍ୟ ଶୂନ୍ୟକୁ
ସେଠି କେହିଯେ କୋଳେଇନେବ
ସଆଦରେ,
ସେ ଭ୍ରମରେ ନାହିଁ,
ପତିତ ଭୂଇଁରୁ ଉଠିବି ତ ପ୍ରଖର ସୂର୍ଯ୍ୟକୁ ଛୁଇଁବି ।
ମୋର ସ୍ୱର୍ଣ୍ଣାଙ୍ଗରେ ତୋର କଳଂକ
ତୁଚ୍ଛ ପ୍ରିୟତମ ।
ଦେହରେ ମଶାଲ ଜାଳିଚି,
ତୁ ଭାବିନେ ଦେଶରେ ତୋର,
ଦେହରେ ତୋର,
ତୋର ଜିଁ ବାର, ମରଣ ପରେ ବି
ମୁଁ ଏଡେ ସହଜରେ ଛାଡୁନି ।
Comments are closed.