Latest Odisha News

BREAKING NEWS

ଛାଡପତ୍ର ମାମଲା: ଚୂଡ଼ାନ୍ତ ଜେରାରେ ଅଭିନେତ୍ରୀ ବର୍ଷା ସାମ୍ନା କଲେ ୧୮୫ ପ୍ରଶ୍ନ

କଟକ : କଟକ ଫ୍ୟାମିଲି କୋର୍ଟରେ ସୋମବାର ଛାଡ଼ପତ୍ର ମାମଲାର ଶେଷ ପର୍ଯ୍ଯାୟ ଶୁଣାଣି ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାୟ ୧୮୫ଟି ପ୍ରଶ୍ନ ପଚରାଯାଇଥିଲା।

ଉଭୟ ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଜର ହୋଇଥିଲେ। ଶୁଣାଣି ପରେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଦୁଇ ଘଣ୍ଟା ଧରି ଚାଲିଥିବା ଜେରାରେ ବର୍ଷାଙ୍କୁ ପ୍ରାୟ ୧୮୫ଟି ପ୍ରଶ୍ନ ପଚରାଯାଇଥିଲା।

ବର୍ଷାଙ୍କ ଓକିଲ ଆଶିଷ ମିଶ୍ର ଦାବି କରିଛନ୍ତି ଯେ, ଜେରା ସମୟରେ ଅଭିନେତ୍ରୀଙ୍କୁ ଅନେକ ଅପ୍ରାସଙ୍ଗିକ ପ୍ରଶ୍ନ ପଚରାଯାଇଥିଲା। ଏହା ସହ ବର୍ଷାଙ୍କର ସମସ୍ତ ଜେରା ଶେଷ ହୋଇଛି।

ଅନୁଭବ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ କହିଛନ୍ତି, ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ରହିଛି ଏବଂ ଆଶା କରୁଛି ମୋତେ ଖୁବ୍ ଶୀଘ୍ର ନ୍ୟାୟ ମିଳିବ।

ବର୍ଷାଙ୍କୁ ପଚରା ଯାଇଥିବା ପ୍ରଶ୍ନ ସବୁ ନିତିଦିନିଆ ଥିଲା। ତା’ଙ୍କ ଓକିଲଙ୍କ ଆପତ୍ତିକୁ ନେଇ ସେ ଆଶ୍ଚର୍ଯ୍ୟ ନୁହଁନ୍ତି ବୋଲି କହିଛନ୍ତି। ସେ ସବୁବେଳେ ଏଭଳି ଅଭିୟୋଗ ଆଣିଥାନ୍ତି ବୋଲି ଅନୁଭବ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ବିବାହର ୬ ବର୍ଷ ପରେ ୨୦୨୦ ଜୁଲାଇରେ ଅନୁଭବ ଦିଲ୍ଲୀ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ କଟକସ୍ଥିତ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ଫ୍ୟାମିଲି କୋର୍ଟରେ ଶୁଣାଣି ବିଳମ୍ବ ହେବାରୁ ଅନୁଭବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜୁଲାଇ ୧୩ରେ ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତିକୁ ଚାରି ସପ୍ତାହ ମଧ୍ୟରେ ଶେଷ କରିବା ସହ ତିନି ମାସ ଅର୍ଥାତ ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.