ଭୁବନେଶ୍ଵର: ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର । ଯେଉଁଥି ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଆଖପାଖ ସ୍ଥାନକୁ ସାଜାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ୱାରକୁ ସାଜାଯାଇଛି । ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯିବା ସହ ସୁନ୍ଦର ଚାନ୍ଦୁଆରେ ସଜାଯାଇଛି । ସେହିପରି ଏସଏସଆଇ ପକ୍ଷରୁ ବାଇଶି ପାହାଚ ନିକଟରୁ ସିଂହ ଦ୍ୱାରା ଯାଏଁ ବ୍ୟାରିକେଟ୍ ବନ୍ଧାଯାଇଛି । ଖରାରୁ ବଞ୍ଚିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ଛାମୁଣ୍ତିଆ ବନ୍ଧାଯାଇଛି । ପୁଷ୍କରଣୀ ଚାରିପଟେ ମଧ୍ୟ ଆଲୋକ ମାଳାରେ ସଜାଯାଇଛି । ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ରଙ୍ଗିନ୍ ଲାଇଟ ଲଗାଯାଇଛି । ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚଳିତ ଥର ଭୋର୍ ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଶ୍ରୀଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯିବ । ପରେ ଭୋର୍ ୪ଟା ୫ ମଧ୍ୟରେ ସେବାୟତଙ୍କ ପରିବାର ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିବେ । ପରେ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ଅନ୍ୟପଟେ ମହାଶିବରାତ୍ରୀ ପାଇଁ ପୁରୀ ଲୋକନାଥଙ୍କ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିରକୁ ସଜା ଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଗତକାଲି ପଙ୍କୋଦ୍ଧାର ଏକାଦଶୀ ଉପଲକ୍ଷେ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ ଜଳାଯାଇଛି । ପ୍ରାୟ ୬ଫୁଟ ଲମ୍ବ ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦୀପରେ ଦେଢ଼ କୁଇଣ୍ଟାଲ ଘିଅ ରହିପାରିବ । ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ଜାଗର ଦିନ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବ । ୬ ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦୀପରେ ବ୍ୟବହାର କରାଯାଇଛି । ପୁରୀ ଲୋକନାଥଙ୍କ ପୀଠରେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ଭିଡକୁ ଦୃଷ୍ଟିରେ ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୧୪ ଇନ୍ସପେକ୍ଟର, ୬ ଡିଏସପି, ଜଣେ ଅତିରିକ୍ତ ଏସପି ମୁତୟନ ହେବେ। ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସେହିପରି ଭଦ୍ରକ ଆଖଣ୍ଡଳମଣି କ୍ଷେତ୍ରରେ ଜାଗରଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ହଜାର ହଜାର ଭକ୍ତଙ୍କ ସମାବେଶରୁ ନଜରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି। ଅନ୍ୟପଟେ ରାଜ୍ୟର ଆଉ ଏକ ପ୍ରମୁଖ ଶୈବ ପୀଠ ଢେଙ୍କାନାଳ କପିଳାସ ସ୍ଥିତ ଚନ୍ଦ୍ରଶେଖର ଜିଉ, ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରଙ୍କ କ୍ଷେତ୍ରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ସେପଟେ କୋରାପୁଟର ଗୁପ୍ତେଶ୍ବରଙ୍କ କ୍ଷେତ୍ରରେ ଜାଗର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ବାବାଙ୍କ ବୃହତ୍ତମ ଶିବ ଲିଙ୍ଗ ମୁଖ୍ୟ ଆକର୍ଷଣ ହୋଇଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ଆନ୍ଧ୍ରରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ମନ୍ଦିର ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ।
Comments are closed.