Latest Odisha News

BREAKING NEWS

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମନୋଜ କୁମାର, ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭେଟେରାନ ଅଭିନେତା ମନୋଜ କୁମାର । ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଭେଟେରାନ ଅଭିନେତା ମନୋଜ କୁମାରଙ୍କ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ମନୋଜ କୁମାରଙ୍କ ପୁଅ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ଶ୍ମଶାନକୁ ଯିବା ପରେ ତାଙ୍କ ମରଶରୀର ଉପରେ ଜାତୀୟ ପତାକା ଘୋଡାଯିବା ସହ ୨୧ ତୋପ ସଲାମୀ ଦିଆଯାଇଥିଲା । ସେଠାରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ବଲିଉଡ୍‌ର କିଛି ଅଭିନେତା ମଧ୍ୟ ଉପସ୍ଥିତ ଥିଲେ । କହିରଖୁଛୁ ଯେ ଗତକାଲି ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ୮୭ବର୍ଷ ବୟସରେ ଆଖି ବୁଜିଥିଲେ ବର୍ଷିଆନ୍ କଳାକାର ମନୋଜ କୁମାର ।

ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଭେଟେରାନ ଅଭିନେତା ମନୋଜ କୁମାର । ‘ମେରେ ଦେଶ କି ଧରତି’ ସଙ୍ଗୀତ ପାଇଁ ସେ ବେଶ ଜଣାଶୁଣା ଥିଲେ । ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ୬୦ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।

ମନୋଜ କୁମାରଙ୍କ ଶେଷ ଚଳଚ୍ଚିତ୍ର ଥିଲା ମୈଦାନ-ଏ-ଜଙ୍ଗ । ଫିଲ୍ମଟି ୧୯୯୫ ମସିହାରେ ମୁକ୍ତିଲାଭ କରିଥିଲା । ତାଙ୍କୁ ପଦ୍ମଶ୍ରୀ ସମେତ ଅନ୍ୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ମନୋଜ କୁମାରଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା । ସେହିପରି ୧୯୬୮ ମସିହାରେ “ଉପକାର” ଚଳଚ୍ଚିତ୍ର ପାଇଁ ଦ୍ୱିତୀୟ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ୨୦୧୬ ମସିହାରେ, ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଗୁଡ଼ିକ ବ୍ୟତୀତ, ମନୋଜ କୁମାରଙ୍କୁ ତାଙ୍କ ଚଳଚ୍ଚିତ୍ର ପାଇଁ ୭ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଛି ।

Comments are closed.