Latest Odisha News

ସପ୍ତମ ଥର ବଜେଟ୍ ଉପସ୍ଥାପନ କରି ଇତିହାସ ରଚିବେ ନିର୍ମଳା; ଜାଣନ୍ତୁ କିଏ ସମ୍ଭାଳିଥିଲେ ପ୍ରଥମ ବଜେଟ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ।

ମୋରାଜୀ ଦେଶାଇ ୬ ଥର ବଜେଟ ଉପସ୍ଥାପନା କରିଥିଲେ। ସୂଚନାଯୋଗ୍ୟ ସୀତାରମଣଙ୍କ ପୂର୍ବରୁ ମୋରାଜୀ ଦେଶାଇ ପାଞ୍ଚଟି ପୂର୍ଣ୍ଣ ବଜେଟ ଏବଂ ଗୋଟିଏ ମଧ୍ୟବର୍ତ୍ତୀ ବଜେଟ ଉପସ୍ଥାପନ କରିଥିଲେ। ମୋରାଜୀ ଦେଶାଇ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମୋରାର୍ଜୀ ଦେଶାଇଙ୍କ ରେକର୍ଡକୁ ଅତିକ୍ରମ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ସପ୍ତମ ଥର ବଜେଟ୍ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି।

ଦେଶର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ଜେମ୍ସ ୱିଲସନ୍ । ସେ ୧୮୬୦ ମସିହା ଏପ୍ରିଲ୍ ୭ ତାରିଖରେ ବଜେଟ୍ ଆଗତ କରିଥିଲେ । ସେତେବେଳେ ଭାରତରେ ନିଜସ୍ୱ ସରକାର କି ସଂସଦ ନଥିଲା । ବଜେଟ୍ ଆଗତ କରିଥିବା ଜେମ୍ସ ୱିଲିସନ୍ ସେତେବେଳେ ଅର୍ଥମନ୍ତ୍ରୀ ନଥିଲେ କିନ୍ତୁ ଭାରତରେ ଥିବା ଭାଇସ୍ରାୟଙ୍କ ଅର୍ଥନୀତିକ ପରିଷଦର ଜଣେ ସଦସ୍ୟ ଥିଲେ ।

ଭାରତରେ ମୋଦୀ ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ସେ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ସେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ଆସନ୍ତା ମାସରେ ୬୫ ବର୍ଷ ବୟସ ହେବାକୁ ଥିବା ସୀତାରମଣ ୨୦୧୯ରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ସେବେଠାରୁ ସେ ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବଜେଟକୁ ମିଶାଇ ୬ ଥର ବଜେଟ୍ ଉପସ୍ଥାପନ କରିସାରିଛନ୍ତି।

ଦେଶ ସ୍ୱାଧିନ ହେବା ପରେ ଜବାହରଲାଲ୍ ନେହରୁଙ୍କ ନେତୃତ୍ୱାଧୀନ ସରକାର ଦେଶର ବଛା ବଛା ବିଶେଷଜ୍ଞଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲା। ଆଉ ସେହିକ୍ରମରେ ଆଇନ ବିଷାରଦ ବି ଆର ଆମ୍ବଦକରଙ୍କ ଭଳି ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ ଆର୍.କେ ସାନମୁଖମ ଚେଟ୍ଟୀ । ସ୍ୱାଧୀନ ଭାରତର ସର୍ବପ୍ରଥମ କେନ୍ଦ୍ର ବଜେଟ୍ ନଭେମ୍ବର ୨୬, ୧୯୪୭ ମସିହାରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ ସାନମୁଖମ୍ ଚେଟ୍ଟୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଚେଟ୍ଟୀଙ୍କ ପରେ ୧୯୪୯-୫୦ରେ ଜନ୍ ମଥାଇ ଉପସ୍ଥାପନ କରିଥିଲେ ସଂଘୀୟ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।

Comments are closed.