Latest Odisha News

BREAKING NEWS

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି ।

ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଗୋଟିଏ ଝିଅକୁ ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁଷ୍କର୍ମ କରିବା ଯାହା ଧର୍ମାନ୍ତରୀକରଣ ମଧ୍ୟ ସେହି ପ୍ରକାରର ।

“ଉଦାହରଣ ସ୍ୱରୂପ ଗୋଟିଏ ଝିଅକୁ ମେଡ଼ିକାଲ କଲେଜ ବା ଇଞ୍ଜିନିୟରିଂ କଲେଜରେ ସାହାଯ୍ୟ କରିବାକୁ ତାହା ବଦଳରେ ତାହା ସହିତ ଯୌନ ସମ୍ପର୍କ ରଖିବା ଦ୍ୱାରା ଏହା ଏକ ଅମାନୁଷିକ ଅପରାଧ । ସେହିପରି ଭାବେ, ଚାକିରି ବା ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କର ଧାର୍ମିକ ବିଶ୍ୱାସକୁ ପରିବର୍ତ୍ତନ କରିବା ପରି ଧର୍ମାନ୍ତରୀକରଣ ଏକ ଧର୍ତ୍ତବ୍ୟ ଅପରାଧ ଏବଂ ଏହା ପ୍ରକୃତି ଓ ମାନବିକତାର ବିରୁଦ୍ଧାଚରଣ କରୁଛି । ” ନ୍ୟୁଜ ପୋର୍ଟାଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି ।

ସ୍ୱାମୀ ବିବେକାନନ୍ଦ ତଥା ମହାତ୍ମା ଗାନ୍ଧୀଙ୍କ ପରି ଆଧ୍ୟାତ୍ମିକ ଗୁରୁ ଏବଂ ନେତା ମଧ୍ୟ ଧର୍ମାନ୍ତରୀକରଣକୁ ବିରୋଧ କରିଛନ୍ତି ଓଡ଼ିଶାର ଏହି ପୂର୍ବତନ ବଜରଙ୍ଗ ଦଳ ମୁଖ୍ୟ ।

ପ୍ରତାପ ଷଡ଼ଙ୍ଗୀ ନରେନ୍ଦ୍ର ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଶପଥଗ୍ରହଣ କରିବା ପରେ ସମ୍ବେଦନଶୀଳ ଗ୍ରାହାମ୍ ଷ୍ଟେନ୍ସ ପୋଡ଼ି ହତ୍ୟାକାଣ୍ଡ ମାମଲାକୁ ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ଓଡ଼ିଶାରେ ୧୯୯୯ ମସିହାରେ ଘଟିଥିବା ଏହି ଘଟଣାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାମକୁ ଯୋଡ଼ାଯିବାକୁ ନେଇ ସେ କହିଛନ୍ତି, ଦାରା ସିଂହଙ୍କ ନାମ ସହିତ ତାଙ୍କ ନାମକୁ ଯୋଡ଼ିବା ଏହା ଭିତ୍ତିହୀନ ତଥା କପୋଳକଳ୍ପିତ ।

“ଏନେଇ ବଜରଙ୍ଗ ଦଳ ସହିତ ଦାରା ସିଂହଙ୍କ ନାମକୁ ଯୋଡ଼ିବାର କୌଣସି କାରଣ ନାହିଁ । ସେ ଜଣେ କର୍ମୀ ଥିଲେ । ଏହି ଘଟଣାରେ ଅଭିଯୁକ୍ତ ହୋଇ ଦୋଷୀ ସାବ୍ୟସ୍ତ ହେଲେ । ବଜରଙ୍ଗ ଦଳ ମୁଖ୍ୟ ହୋଇଥିବା ଯୋଗୁଁ ସେହିସମୟରେ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲି,” ବୋଲି ‘ଦ ପ୍ରିଣ୍ଟ’ କୁ ସାକ୍ଷାତକାର ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

Leave A Reply

Your email address will not be published.