Latest Odisha News

ବିବାଦରେ ସାଂସଦ ଅପରାଜିତା: ନିୟମ ଭାଙ୍ଗିଲେ, ଫାଇନ ଦେଲେ, ଏତଲା ବି ହେଲା

ଭୁବନେଶ୍ୱର: କୋଭିଡ-୧୯ ଗାଇଡଲନ ମାନିଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଘଟଣାକୁ ନେଇ ତାଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସାଂସଦଙ୍କ ନାଁ ରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ ସେ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ ଗାଇଡଲାଇନକୁ ନ ମାନି କର୍ମୀଙ୍କ ସହ ମିଳାମିଶା କରିଛନ୍ତି । ସାମାଜିକ ଦୂରତା ପାଳନ ନ କରି, ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଛନ୍ତି ।

ସରକାର କରୋନା ମୁକାବିଲା ପାଇଁ ସଚେତନତା କରୁଛନ୍ତି । ହେଲେ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ।ସେପଟେ ସାମାଜିକ ଦୂରତାକୁ ପାଳନ କରିନଥିବା କଥାକୁ ନିଜେ ସ୍ୱୀକାର କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥିସହ ନିୟମ ଅନୁଯାୟୀ ସେ ନିଜ ଆଡୁ ଜରିମାନ ଦେଇଛନ୍ତି । ଭୁବନେଶ୍ୱର DCPଙ୍କ ନିକଟକୁ ୧୦୦ ଟଙ୍କା ପଠାଇଛନ୍ତି । ଏଥିସହ ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମ ମାନିବା ସହ ସୁରକ୍ଷିତ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତକାଲି ଅଭିମାନ କରି ଦଳରୁ ଇସ୍ତଫା ଦେଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ବୁଝାଇବାକୁ ତାଙ୍କ ଘରକୁ ଯାଇଥିଲେ ଅପରାଜିତା । ସେଠାରେ ସେ ସାମାଜିକ ଦୂରତା ମାନିନଥିଲେ କି ମୁହଁରେ ମାସ୍କ ମଧ୍ୟ ପିନ୍ଧି ନଥିଲେ । ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅପରାଜିତାଙ୍କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।

Leave A Reply

Your email address will not be published.