Latest Odisha News

ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ଅଡୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ଭର୍ତ୍ତୃହରିଙ୍କ ସହ ସ୍ବାମୀ ଲୋକରଞ୍ଜନ ମହତାବ ଓ ଶାଶୂ ମହାଶ୍ବେତା ମହତାବଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁସାରେ, ୨୦୧୬ ଡିସେମ୍ବରରେ ଲୋକରଞ୍ଜନଙ୍କର ବାହାଘର ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କ ସହ ହୋଇଥିଲା । ସାକ୍ଷୀ ଅଭିଯୋଗ କରିଛନ୍ତି ଯେ, ବାହାଘରରେ ତାଙ୍କ ବାପା ଅଢ଼େଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ବାହାଘରର କିଛି ଦିନ ପରେ ସ୍ବାମୀ ଲୋକରଞ୍ଜନ ଓ ଶାଶୂ -ଶ୍ବଶୁର ତାଙ୍କୁ ଅଧିକ ଟଙ୍କା ଆଣିବା ପାଇଁ ଦାବି କରି ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହା ପରେ ସାକ୍ଷୀ ତାଙ୍କ ବାପଘର ଭୋପାଳକୁ ଚାଲି ଯାଇଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ପତ୍ନୀ ସାକ୍ଷୀଙ୍କୁ ପାଖରେ ରଖିବାକୁ ସେତେବେଳେ କୋର୍ଟ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସ୍ବାମୀ ଓ ଶାଶୂଘର ଲୋକ ସାକ୍ଷୀଙ୍କୁ ଘରେ ରଖିବାକୁ ରାଜି ହୋଇ ନଥିଲେ । ସ୍ବାମୀ ଲୋକରଞ୍ଜନ, ଶାଶୂ ମହାଶ୍ବେତା ଓ ଶ୍ବଶୁର ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଭୋପାଳ ଥାନା ମହିଳା ପୋଲିସ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗରେ ମାମଲା ରୁଜୁ କରିଛି ।

Comments are closed.