କାମାକ୍ଷାନଗର: ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। । ଖରା ଦିନ ଆସିବା ଆଗରୁ ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଏହି ନିଆଁ ଯେ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା ।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଟଗାଁ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ସଂରକ୍ଷିତ ଜଙ୍ଗଲ । ଦୁଇ ଦିନ ମଧ୍ୟରେ ଶହ ଶହ ଏକର ଜଙ୍ଗଲ ଜଳିପୋଡି ଛାରଖାର ହୋଇଛି । କ୍ଷଣକରେ ଜଙ୍ଗଲରେ ଥିବା ବିଶାଳକାୟ ଶାଳ, ପିଆଶାଳ ,କେନ୍ଦୁ ,ମହୁଲ ଆଦି ଗଛ ଗୁଡିକ ଜଳିପୋଡି ପାଉଁଶ ହେବା ସହ ନିଆଁ ଲାଗିବା ଯୋଗୁଁ ବିଭିନ୍ନ ଔଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହୋଇଛି ।
ଏଥିସହିତ ଅକାଳରେ ବିପଦ ମାଡି ଆସିଛି ନିରୀହ ବନ୍ୟପ୍ରାଣୀଙ୍କ ଉପରେ । ଲୋପ ହେବାକୁ ବସିଲେଣି ବିଲୁପ୍ତ ପ୍ରଜାତିର ଜୀବଜନ୍ତୁ ।ଜଙ୍ଗଲ ଛାରଖାର ପରେ ଏବେ ଗାଁ ମୁହାଁ ଅନେକ ଜୀବଜନ୍ତୁ । ହେଲେ ଏଥିପ୍ରତି ବନ ବିଭାଗର କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବନ ବିଭାଗର ସଚେତନତା ଓ ଦାୟିତ୍ୱର ଅଭାବ ଯୋଗୁଁ ସବୁଜ ବନାନୀ ସାଙ୍ଗକୁ ଜୀବଜନ୍ତୁ ଗୁଡ଼ିକ ବିପଦରେ ରହିଛନ୍ତି । ଅନେକଙ୍କର ମଧ୍ୟ ଜୀବନ ହାନି ହେଉଛି । ତୁରନ୍ତ ଜଙ୍ଗଲ ଓ ପଶୁପକ୍ଷୀଙ୍କ ଦାୟିତ୍ଵ ନେବାକୁ ଦାବି ହୋଇଛି ।
Comments are closed.