Latest Odisha News

BREAKING NEWS

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୭ ଆହତ

ବ୍ରହ୍ମପୁର: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ବେରୁଆବାଡି ଗାଁର ଗୋଟିଏ ଘରେ ବାଣ ଭିଡ଼ିବା ବେଳେ ଏଭଳି ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚିଥିଲେ ।  ବିସ୍ଫୋରଣରୁ ପରିବାରର ଜଣେ ୨୮ ଦିନିର ଶିଶୁ ବର୍ତ୍ତି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ବେରୁଆଁ ବାଡ଼ି ଗାଁର ଶିଅଳ ସାହି ଠାରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଦଣ୍ଡପାଣି ବେହେରାଙ୍କ ଘର ମଧ୍ୟରୁ ପ୍ରବଳ ଧୂଆଁ ବାହାରିବା ସହିତ ଘରର ଭଙ୍ଗା ଆଜବେଷ୍ଟ୍ସ ଓ ଆସବାବ ପାତ୍ର ଏଣେତେଣେ ପଡ଼ି ଯାଇଥିଲା । ଗ୍ରାମବାସୀ ରୁଣ୍ଡ ହୋଇ ଯାଇଥିଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ପରିବାରର ୫ ଜଣ ସଦସ୍ୟ ଯଥା ବିଷ୍ଣୁ ବେହେରା (୨୮), ତ୍ରିପୁରା ବେହେରା (୨୨), ଶ୍ରୀହରି ବେହେରା (୨୬), ବଳରାମ ବେହେରା (୩୧)ଜଣେ ସମ୍ପର୍କୀୟ ମିଥୁନ ବେହେରା (୨୨)ବିସ୍ପୋରଣରେ ପୋଡ଼ି ଯାଇଥିଲେ । ସେହି ସମୟରେ ଉକ୍ତ ଘରେ ଥିବା ପଡ଼ୋଶୀ କୈଳାଶ ବେହେରା (୫୩) ଓ ତାଙ୍କ ପୁଅ କାହ୍ନା ବେହେରା ମଧ୍ୟ ଗୁରୁତର ଆହତ ହୋଇଥିଲେ ।

କେମିତି ବିସ୍ପୋରଣ ଘଟିଲା ସଠିକ୍ କାରଣ ଜଣାପଡ଼ି ନାହିଁ । ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତଦନ୍ତ କରୁଛନ୍ତି । ତେବେ ସାହିବାସୀଙ୍କ କହିବାନୁଯାୟୀ, ଆସନ୍ତା ୨୬ ତାରିଖରେ ଦୁଇ ଭାଇ ବିଷ୍ଣୁ ଓ ଶ୍ରୀଧରଙ୍କ ବିବାହ ହେବ । ସେଥିପାଇଁ ଘରେ ବାଣ ଭିଡ଼ା ଚାଲିଥିଲା । ଏହି ସମୟରେ ବିସ୍ପୋରଣ ଘଟିଥିବା ଆଶଙ୍କା କରାଯାଉଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଦୁଇଟି ଘରର ଆଜବେଷ୍ଟ୍ସ ଉଡ଼ି ଯାଇଥିବା ସହିତ ଗୋଟିଏ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି । ତୃତୀୟ ଘରର ମଧ୍ୟ ଆଜବେଷ୍ଟ୍ସ ଭାଙ୍ଗି ତଳେ ପଡ଼ିଛି । ଅପରପକ୍ଷେ ଗୁରୁତରଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡିକାଲରେ ଚାଲିଛି ।

Leave A Reply

Your email address will not be published.