Latest Odisha News

ଫିରିଙ୍ଗିଆ ଥାନା ପୋଡି: ଥାନା ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ବର୍ଷିଲା ବିଜେପି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ କାହିଁକି ? ଗଂଜେଇ ଥିବା ପୋଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି ? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ? ବାଡ କ୍ଷେତ ଖାଇବାର ପରିଣାମ ହେଉଛି ‘ଫିରିଙ୍ଗିଆ ଘଟଣା’ ବୋଲି କହି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି।

ଗତ ୩ ତାରିଖ ରାତିରେ ଫିରିଙ୍ଗିଆ ଅଂଚଳର ସାଧାରଣ ଜନତା ଗୋଟିଏ ପୋଲିସ ଗାଡିକୁ ଅଟକାଇଥିଲେ । ସେହି ଗାଡିରେ ୨ଜଣ ହୋମଗାର୍ଡ ଗଞ୍ଜେଇ ନେଇ ଯାଉଥିଲେ । ସାଧାରଣ ଜନତା ସେମାନଙ୍କୁ ଅଟକାଇ ପଚାରିବାରୁ ସେମାନେ କହିଥିଲେ ଯେ, ଆଇଆଇସି ତପନ ନାହାକ ଗଞ୍ଜେଇ ବିକ୍ରି କରିବାକୁ ପଠାଇଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ସମସ୍ତ ପ୍ରମାଣ ସ୍ଥାନୀୟ ବାସିନ୍ଦା ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କି ଗଞ୍ଜେଇ ଗାଡିକୁ ଜବତ କରାଗଲା ନାହିଁ । ଏହାପରେ ଗତ ୫ତାରିଖ ଦିନ ସାଧାରଣ ଜନତା ଉଗ୍ରରୂପ ଧାରଣ କରି ଫିରିଙ୍ଗିଆ ଛକରେ ରାସ୍ତା ଅବରୋଧ କରିବା ସହ ଥାନାକୁ ନିଆଁ ଲଗାଇ ଧ୍ୱଂସ କରିଦେଲେ । ପୋଲିସ୍ ପ୍ରଶାସନର ସ୍ଥାନୀୟ ବାସିନ୍ଦାଙ୍କ ଉପରେ ବାରମ୍ବାର ଜୁଲମ୍ କାରଣରୁ ଆଜି ପୋଲିସ୍‌ର ବିଶ୍ୱାସନୀୟତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରଂଚି ତ୍ରିପାଠୀ କହିଛନ୍ତି ।

ବିଜେପିର ଏକ ଟିମ୍ ଫିରିଙ୍ଗିଆ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅତ୍ୟନ୍ତ ସାଂଘାତିକ । ଫିରିଙ୍ଗିଆ ଅଂଚଳର ସରଳ ଓ ନିରୀହ ଆଦିବାସୀ ଭାଇ ଭଉଣୀମାନଙ୍କୁ ବାହାର ଅଂଚଳରୁ ଆସିଥିବା ମାଫିଆ ଓ ଦଲାଲ୍‌ମାନେ ଗଞ୍ଜେଇ ଚାଷ ପାଇଁ ପ୍ରବର୍ତାଉଛନ୍ତି ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଯିଏ ଏହି ଅଂଚଳରେ ଗଞ୍ଜେଇ ଚାଷ କରୁନାହିଁ ସେମାନଙ୍କୁ ପୋଲିସ ଅଧିକାରୀ ଡର, ଭୟ, ମାଡ, ଧମକ, ମିଛ କେସ୍ ଓ ଗିରଫ କରିବାର ଧମକ ଦେଉଛି ବୋଲି ବିଜେପି କହିଛି।

Comments are closed.