Latest Odisha News

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତର ପ୍ରଥମ ମହିଳା ଆଥଲେଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଛି । ତେବେ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଯାତ୍ରା ଏତେ ସହଜ ନ ଥିଲା । ୧୯୫୨ ହେଲସିଙ୍କ ଅଲିମ୍ପିକ ସବୁ ଦୃଷ୍ଟିକୋଣରୁ ଭାରତ ପାଇଁ ଐତିହାସିକ ଥିଲା । ଏହି ସଂସ୍କରଣରେ କେଡି ଯାଦବ ପ୍ରଥମ ଭାରତୀୟ ଆଥଲେଟ ଭାବେ ବ୍ୟକ୍ତିଗତ ଇଭେଂଟରେ ପଦକ ଜିତିଥିଲେ । ଏଥିରେ ଭାରତ କ୍ରମାଗତ ୫ମ ଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ତେବେ ଏହା ମଧ୍ୟରେ ନୀଳିମା ଘୋଷ ମଧ୍ୟ ଭାରତ ପାଇଁ ଅଫିସିଆଲ ପ୍ରଥମ ମହିଳା ଆଥଲେଟ ହେବାର ଗୌରବ ଅର୍ଜନ କରିଥିଲେ ।

ଏଥିରେ ୪ ମହିଳାଙ୍କ ସହ ୬୦ଜଣିଆ ପୁରୁଷ ଟିମ ଅଂଶଗ୍ରହଣ କରିଥିଲେ । ନୀଳିମାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ନୀଳିମା ୧୦୦ ମିଟର ଓ ୮୦ ମିଟର ହର୍ଡଲ୍ସରେ ଅଂଶଗ୍ରହଣ କରିଥିଲେ । ୧୦୦ ମିଟରରେ ୧୩.୮ ସେକେଣ୍ଡ ସମୟ ନେଇ ସେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ସେ ସଫଳ ହୋଇ ନ ଥିଲେ । ସେହିପରି ୮୦ ମିଟର ହର୍ଡଲ୍ସରେ ୧୩.୦୭ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହିଥିଲେ ।

ନୀଳିମାଙ୍କ ସହ ଏହି ଅଲିମ୍ପିକ୍ସରେ ମ୍ୟାରୀ ଡିସୁଜା ସେକରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେ ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିଥିଲେ ମଧ୍ୟ ପ୍ରଥମ ରାଉଣ୍ଡରୁ ଆଗକୁ ଯାଇପାରି ନ ଥିଲେ । ପରେ ଅବଶ୍ୟ ସେ ଏସିଆର ପ୍ରତିଷ୍ଠିତ ଧାବିକା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୩ରେ ତାଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା । ସନ୍ତରଣକାରୀ ଡଲି ନଜୀର ଓ ଆରତୀ ସାହଚ ମଧ୍ୟ ସେହି ବର୍ଷ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ପ୍ରଦର୍ଶନ ଏତେଟା ଉତ୍ସାହଜନକ ରହି ନ ଥିଲା । ୨୦୦୦ରେ କର୍ଣ୍ଣମ ମାଲ୍ଲେଶ୍ୱରୀ ଭାରୋତୋଳନରେ ପ୍ରଥମ ମହିଳା ଭାବେ ପଦକ ଜିତିବା ଗୌରବ ଅର୍ଜନ କରିଥିଲେ ।

Comments are closed.