ଭୁବନେଶ୍ୱର: ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ଆଜି ପୂରିଛି ୮୪ ବର୍ଷ । ୧୯୩୬ ମସିହା ଆଜିର ଦିନରେ ଏହା ରିଲିଜ ହୋଇଥିଲା । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଆଜି ବି ଲୋକେ ମନେ ରଖିଛନ୍ତି ।
ମୋହନ ସୁନ୍ଦର ଦେବଗୋସ୍ୱାମୀ ନିର୍ଦ୍ଦେଶିତ ଓ ପ୍ରଯୋଜିତ ଚଳଚ୍ଚିତ୍ର ସୀତା ବିବାହ ରାମାୟଣର ବିଷୟବସ୍ତୁ ରାମଙ୍କ ସହ ସୀତାଙ୍କ ବିବାହ ଉପରେ ଆଧାରିତ ଥିଲା । ଏଥିରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ, ସୀତା ଭୂମିକାରେ ପ୍ରଭାବତୀ, ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଫିଲ୍ମରେ ଥିବା ୧୪ଟି ଗୀତକୁ ଓଡିଶାର କଣ୍ଠଶିଳ୍ପୀମାନେ ଗାଇଥିଲେ ।
ଏହା ଯେହେତୁ ଓଡିଆରେ ପ୍ରଥମ ଚଳଚ୍ଚିତ୍ର ଥିଲା ପ୍ରେଯାଜକ ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ । ମାଖନଲାଲ ଏହି ଚଳଚ୍ଚିତ୍ର ପାଇଁ ୧୨୦ ଟଙ୍କା, ଆଦିତ୍ୟ ବଲ୍ଲଭ ମହାନ୍ତି ୩୫ ଟଙ୍କା ପାରିଶ୍ରମିକ ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ସବୁଠୁ ଅଧିକ ଦେଢଶହ ଟଙ୍କା ପାଇଥିଲେ । ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ପାଇଁ ତିରିଶ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।
ବେଙ୍ଗଲ ବୋର୍ଡର ଫିଲ୍ମ ସାର୍ଟିଫିକେଟ୍ ଓ ଲାଲବଜାର ପୋଲିସ କମିଶନର କମିଶନର ଏହାକୁ ସେନସର ସାର୍ଟିଫିକେଟ୍ ଦେଇଥିଲେ । ଫିଲ୍ମର ଅବଧି ଦୁଇ ଘଣ୍ଟା ହୋଇଥିବା ବେଳେ ଏହା ପ୍ରଥମେ ପୁରୀର ଲକ୍ଷ୍ମୀ ଟକିଜରେ ଓ ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା ।
Comments are closed.