ଭୁବନେଶ୍ୱର: ବିଜୁ ଜନତା ଦଳ ପ୍ରଭୁ ଜଗନ୍ନାଥଙ୍କ ପରମ ସେବକ । ସେଥିପାଇଁ ମନ୍ଦିର ଉନ୍ନୟନ ପାଇଁ ଆଗେଇ ଆସିଛି ଏ ସରକାର । ପ୍ରଥମେ ଠାକୁରଙ୍କ ଘର ପାଲିସ ହେଉ, ପରେ ଆମେ ନିଜ ଘରକୁ ସଜାଡିବା । ନିଜେ ଭଲ ଘରେ ରହିବା ଆଉ ଠାକୁର ଖରାପ ଘରେ ରହିବେ..ଏହା ପାପ । ତେଣୁ ପ୍ରଥମେ ଓଡ଼ିଶାର ସବୁ ମନ୍ଦିର ନବୀକରଣ କରିବାକୁ ଚେଷ୍ଟ କରୁଛି ଏ ସରକାର । ଏମିତି କହି ଦଳର ଭାଗ୍ୟ, ଭବିଷ୍ୟତ ସବୁକିଛି ଭଗବାନଙ୍କ ହାତରେ ସମର୍ପି ଦେଇଛନ୍ତି ବିଜେଡି ବିଧାୟକ ସୗେମ୍ୟ ପଟ୍ଟାନୟକ । ସେତିକି ନୁହେଁ, ଦଳର ଅହଙ୍କାର ଅଧିକ ହୋଇଗଲାଣି । ଯେଉଁଥିପାଇଁ ଧାମନଗରରେ ଦଳ ହାରିଲା ବୋଲି କହି ଦଳକୁ କଟାକ୍ଷ ବି କରିଛନ୍ତି ସୌମ୍ୟ ।
ଦଳରେ ରହି ଦଳକୁ ତେରଛା ତୀର ମାରିବାରେ ମାହିର ସୌମ୍ୟ । ଆଜି ବିଜେଡି ତାର ୨୫ ତମ ପ୍ରତିଷ୍ଠ ଦିବସ ପାଳୁଥିବାବେଳେ ଦଳ ଓ ଦଳପତିଙ୍କୁ ପ୍ରଶଂସା କରିଥିଲେ ବି କଟାକ୍ଷ କରିବାକୁ ଭୁଲି ନ ଥିଲେ ଏହି ବିଧାୟକ । ସାମ୍ବାଦିକମାନଙ୍କୁ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି । ଏହି ବହୁପଥ ହେଉଛି ସଙ୍କଳ୍ପର ପଥ । ତେଣୁ ଆଜି ପ୍ରତିଷ୍ଠ ଦିବସରେ ଦେଶକୁ ଆଗେଇ ନେବାକୁ ସଙ୍କଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ଆଗାମୀ ୨୫ ବର୍ଷ ଭିତରେ ଓଡ଼ିଶା ଯେପରି ସାରା ଭାରତର ଆଗରେ ରହିବ ସେଥିପାଇଁ ଉଦ୍ୟମ ଜାରି ରଖିବାକୁ କହିଥିଲେ।
ଧାମନଗର, ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗ ଉଠାଇ କହିଥିଲେ, ଦଳର ଅହଙ୍କାର ଯୋଗୁ ଧାମନଗରରେ ବିଜେଡି ହାରିଲା । ସେ ଅହଙ୍କାର, ସେ ଭୁଲ ଆମେ ବୁଝିପାରିଲୁ ଯେଉଁଥିପାଇଁ ପଦ୍ମପୁରରେ ଜିତିଲୁ । ସେହିପରି ୨୦୨୪ ନିର୍ବାଚନ ପ୍ରସଙ୍ଗରେ ଦମ୍ଭୋକ୍ତି ପ୍ରକାଶ କରି ସୌମ୍ୟ କହିଥିଲେ, ବିଗୁଲ ଯେତେବେଳେ ବି ବାଜୁ, ଜିତିବ ବିଜେଡି ।
Comments are closed.