Latest Odisha News

BREAKING NEWS

ବିହାର ବାହାରେ ‘ଖେଲା’ : ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ୍ ହେଲେ

ଇମ୍ଫାଲ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁକୁ ଝଟକା । ମଣିପୁରରେ ଏହି ଝଟକା ଲାଗିଛି ଜେଡିୟୁକୁ। ମଣିପୁରରେ ଶାସକ ବିଜେପିରେ ପାଞ୍ଚ ଜଣ ଜେଡିୟୁ ବିଧାୟକ ଯୋଗ ଦେଇଛନ୍ତି। ଏଥିମଧ୍ୟରୁ ବିଧାନସଭା ନିର୍ବାଚନ ବେଳେ ଟିକେଟ୍ ନପାଇବାରୁ ଦୁଇ ଜଣ ଦଳ ଛାଡି ଜେଡିୟୁ ଟିକେଟରେ ବିଧାୟକ ହୋଇଥିଲେ । ଏବେ କିନ୍ତୁ ଦଳକୁ ଫେରିଛନ୍ତି ।

BjdElectrycity

ମଣିପୁର ବିଧାନସଭା ସଚିବ କେ ମେଘଜିତ ସିଂ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ପାଞ୍ଚ ଜଣ ଜେଡିୟୁ ବିଧାୟକ ବିଜେପି ସହିତ ମିଶ୍ରଣକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜେଡିୟୁ ୩୮ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ୬ଟି ଆସନରେ ଜିତିଥିଲା। ଏଥିମଧ୍ୟରୁ ବର୍ତ୍ତମାନ ୫ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଜଣେ ବିଧାୟକ ଏବେ ବି ଜେଡିୟୁରେ ଅଛନ୍ତି।

ତେବେ ଗୋଟିଏ ପଟେ ନୀତୀଶ କୁମାର ଜାତୀୟ ରାଜନୀତିରେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି। ଗତ ନଅ ଦିନରେ ଏହା ଜେଡିୟୁ ପାଇଁ ଦ୍ୱିତୀୟ ଝଟକା। ଏହାପୂର୍ବରୁ ଅଗଷ୍ଟ ୨୫ ରେ ଅରୁଣାଚଳ ପ୍ରଦେଶର ଏକାକୀ ଜେଡିୟୁ ବିଧାୟକ ଟେକି କାସୋ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।

୨୦୧୯ରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିଲା । ​​ଜେଡିୟୁ ସାତୋଟି ଆସନ ଜିତିଥିଲା। ନିର୍ବାଚନ ଫଳାଫଳରେ ବିଜେପି ପରେ ଜେଡିୟୁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳ ଥିଲା। ବିଧାନସଭା ନିର୍ବାଚନରେ ​​ବିଜେପି ସର୍ବାଧିକ ୪୧ ଟି ସିଟ୍ ଜିତିଥିଲା। ଏହାପରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ମାସରେ ବିହାରରେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ। ବିଜେପି ଜେଡିୟୁକୁ ଦୁର୍ବଳ କରୁଥିବା ଅଭିଯୋଗ କରି ନୀତୀଶ କୁମାର ଏନଡିଏଠାରୁ ନିଜକୁ ଦୂରେଇ ରଖିଥିଲେ। ଏହା ପରେ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସହ ଦ୍ୱିତୀୟ ଥର ପାଇଁ ହାତ ମିଳାଇଛନ୍ତି। ମହାମେଣ୍ଟ ସରକାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Leave A Reply

Your email address will not be published.