Latest Odisha News

BREAKING NEWS

୫ ନକଲି ମାଓବାଦୀ ଗିରଫ, ବନ୍ଧୁକ ଜବତ

ଚିତ୍ରକୋଣ୍ଡା: ନକ୍ସଲ ନାଁ ରେ ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ୩ ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ୨ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି। ଚିତ୍ରକୋଣ୍ଡା ଏସ୍‌ଡ଼ିପିଓ ଲଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲକା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ବଡ଼ପଦର ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ ଜଗୁ ହ୍ୱନ୍ତାଳ ଓ ପଣସଗନ୍ଧି ଗ୍ରାମର ଏମ ନାରାୟଣ ଦୁହେଁ ମିଶି ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଦଶ ଲକ୍ଷରୁ ଅଧିକ ଟଙ୍କାର ବିଭିନ୍ନ ସରକାରୀ କାମ କରିଥିଲେ। କିନ୍ତୁ ବଡ଼ପଦର ପଞ୍ଚାୟତ ବର୍ତ୍ତମାନର ନାୟବ ସରପଞ୍ଚ ଭକତରାମ ସୀସା ଦୁହିଁଙ୍କର କାମ ନିମ୍ନମାନର ଦର୍ଶାଇ ବ୍ଲକରେ ଅଭିଯୋଗ କରିଥିଲେ। ଏହି ଦୁଇ ଜଣଙ୍କୁ ଚିତ୍ରକୋଣ୍ଡା ଅଞ୍ଚଳର ହରିବନ୍ଧୁ ଗତନ ନାମକ ଜୈନିକ ବ୍ୟକ୍ତି ରଡ଼, ସିମେଣ୍ଟ, ଯୋଗାଇ ଦେଇଥିଲେ।  ପରେ ହରିବନ୍ଧୁ ପଇସା ମାଗିବାରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା।

ବଡ଼ପଦର ପଞ୍ଚାୟତ ବାଙ୍ଗୁରୁପଡ଼ା ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଲକିନାଥ ପାଙ୍ଗୀ ଓ ଅଭିଯୁକ୍ତ ମନ ପାଙ୍ଗିଙ୍କ ମଧ୍ୟରେ ପାଞ୍ଚ ଏକର ଜମିକୁ ନେଇ ବିବାଦ ରହିଥିଲା। ମନ ପାଙ୍ଗୀ, ଏମ ନାରାୟଣ ଓ ଜଗୁ ହ୍ୱନ୍ତାଳ ତିନିଜଣଙ୍କ ମଧ୍ୟରେ ବନ୍ଧୁତା ଥିଲା। ବଡ଼ପଦର ପଞ୍ଚାୟତର ନାୟବ ସରପଞ୍ଚଙ୍କୁ ହଇରାଣ କରିବ ଉଦ୍ଦେଶ୍ୟରେ ମାଲକାନଗିରି ପଦ୍ମଗିରି ଅଞ୍ଚଳର ଦୁଇଜଣଙ୍କୁ ଆଣି ନକ୍ସଲ ବେଶରେ ଜଗୁ ହ୍ୱନ୍ତାଳଙ୍କ ଘରେ ରଖିଥିଲେ। ନକ୍ସଲଙ୍କ ଭଳି ଏକ ଚିଠି ଲେଖି ନାୟବ ସରପଞ୍ଚ ଓ ହରିବନ୍ଧୁକୁ ଡାକି ଶୀଘ୍ର ବିଲ ପାସ କରି ଦେବାକୁ ଧମକ ଦେଇଥିଲେ। ଏହା ସହ ବିଲ ନ ମିଳିବା ପର୍ଯ୍ୟନ୍ତ ପଇସା ନ ମାଗିବାକୁ ଧମକାଇ ଥିଲେ।

ଘଟଣାର ୧୫୧  ଦିନ ପରେ ପୁଣି ସେମାନେ ଉଭୟଙ୍କୁ ପଚାଶ ହଜାର ଲେଖାଏଁ ସଂଗଠନକୁ ଦେବାକୁ କହିଥିଲେ। ଭିତରେ ନକ୍ସଲଙ୍କ ବେଶରେ ବସିଥିବା ଦୁଇଜଣଙ୍କ ଉପରେ ଭକତରାମ ସୀସାଙ୍କର ସନ୍ଦେହ ହେବାରୁ, ସେ ଏ ନେଇ ଚିତ୍ରକୋଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ପରେ ନକଲି ନକ୍ସଲଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଚିଠି, ତିନୋଟି ମୋବାଇଲ ଓ ନଗଦ ୪ ଶହ ଟଙ୍କା ଜବତ କରିଛି। ଏହା ସହ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି।

Comments are closed.