Latest Odisha News

BREAKING NEWS

ବର୍ଷା ଭୟ କମିଲା ହେଲେ ବଢିଲା ବନ୍ୟା ଭୟ: ହୀରାକୁଦ ଖୋଲିଲା ଆଉ ଦୁଇ ଗେଟ

ଭୁବନେଶ୍ୱର: ରାଜ୍ୟକୁ ଟଳିଛି ବଡ ବର୍ଷା ଭୟ । ହେଲେ ବଢିଛି ବନ୍ୟା ଭୟ ।  ତିନିଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ତଳିଆ ଅଞ୍ଚଳ ବର୍ଷା ଜଳରେ ବୁଡି ରହିଥିବାବେଳେ ଏପଟେ ଫୁଲୁଛି ନଦୀ । ତେବେ ବର୍ତ୍ତମାନ ରାଜ୍ୟକୁ ପ୍ରବଳ ବର୍ଷା ଭୟ ନ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉପକୂଳରେ ବର୍ଷା କମିଥିଲେ ହେଁ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଛି । ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା  ହୋଇଥିବା ରେକର୍ଡ କରାଯାଇଥିଲା । ବୌଦ୍ଧରେ ପ୍ରବଳ ବର୍ଷା ଯୋଗୁ ସଙ୍ଗୀନ ସ୍ଥିତି ଦେଖା ଦେଇଛି । ମହାନଦୀ ଫୁଲୁଥିବାରୁ ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଜଗନ୍ନାଥ ସଡକରେ ୫ ଫୁଟର ବନ୍ୟପାଣି ଲହଡା ମାରୁଛି । ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଏପଟେ ପରିସ୍ଥିତିକୁ ଦେଖି ଆଉ ୨ଟି ଗେଟ୍ ଖୋଲିଲା ହୀରାକୁଦ । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୦ ଫୁଟ୍ ରହିଛି । ଏବେ ହୀରାକୁଦକୁ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୫୯ ହଜାର ୭୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୮୬୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମହାନଦୀରେ ବନ୍ୟା ଜଳ ଆସିବା କାରଣରୁ ମୁଣ୍ଡୁଳିରେ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଲଗାଣ ବର୍ଷା ଯୋଗୁଁ ସାରା ରାଜରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ।  ଅନଗୁଳ ଆଠମଲ୍ଲିକ ମୁଖ୍ୟ ରାସ୍ତା ଝରଝରି ଘାଟିରୁ ଖସୁଛି ମାଟି ଅତଡ଼ା । ଆଠମଲ୍ଲିକ ପାହାଡ଼ିଆ ରାସ୍ତାର ୪ଟି ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ସମ୍ପୂଣ୍ଣ ଅବରୋଧ ହୋଇପଡ଼ିଥିଲା ।  ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ଦ୍ୱାରା ପଥର ଓ ମାଟି ସଫା କରାଯାଇଛି ।

ମହାନଦୀ ଫୁଲୁଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରୁଛି ପାଣିପାଗ ବିଭାଗ । ସେପଟେ କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ପଞ୍ଚାୟତ ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲା  ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଛି । ଫଳରେ ସହରଟାଙ୍ଗିରି ଗ୍ରାମରୁ ବୁଢ଼ାଖମଣ ପଞ୍ଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କଟକ ଆଠଗଡ଼ ଧୁରୁଷିଆର ସାପୁଆ ନଇରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି ।

 ବନ୍ୟା ମୁକାବିଲା ନେଇ ଆଜି ସିଆରସିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ୭ ଜିଲ୍ଲା ପାଇଁ ୬୨ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍‌, ୬୨ ଫାୟାର ଆଣ୍ଡ ଏମର୍ଜେନ୍ସି ଟିମ୍‌ ମୁତୟନ ନେଇ ବୈଠକରେ ଆଲୋଚନା ହୋଇଥିଲା ।  SRCଙ୍କ ସୂଚନା  ଅନୁଯାୟୀ କେନ୍ଦ୍ରାପଡ଼ାରେ ୧୦, କଟକ ସଦରରେ ୧୦, ଆଠଗଡ଼ ପାଇଁ ୮ ଟିମ୍‌ , ଜଗତସିଂହପୁର ପାଇଁ ୯, ଖୋର୍ଦ୍ଧା ପାଇଁ ୫, ନୟାଗଡ଼ ପାଇଁ ୮, ପୁରୀ ପାଇଁ ୧୨ ଟିମ୍‌ ସଜାଗ ରଖିବା ପାଇଁ ସିଆରିସ ମିଟିଂରେ ସତର୍କ କରିଦେଇଛନ୍ତି । 
ବର୍ତ୍ତମାନ ସୁ୍ଦ୍ଧା ବନ୍ୟାରେ ମୃତାହତ ସଂଖ୍ୟା ନେଇ କୌଣସି  ସୂଚନା ମିଳିନ ଥିଲେ ହେଁ  ଯାଜପୁର ବୈତରଣୀ ଶାଖା ବୁଢ଼ା ନଦୀରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦର ଥାନା ଓଲେଇପଡ଼ା ଗାଁର ଅକ୍ଷୟ ନାୟକ । ସେ ଘରୁ ଦୋକାନ ଖୋଲିବାକୁ ଆସୁଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି ।

Comments are closed.