Latest Odisha News

BREAKING NEWS

ବୈଜ୍ଞାନିକଙ୍କ କମାଲ, ଆକାଶରେ ଉଡ଼ିବ ମଣିଷ ରୋବୋଟ

ନୂଆଦିଲ୍ଲୀ: ବୈଜ୍ଞାନିକ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ସାମ୍ନାକୁ ଆସିଛି। ଇଟାଲୀର ବୈଜ୍ଞାନିକମାନେ ଏକ ଏଭଳି ରୋବୋଟ୍‌ ତିଆରି କରିଛନ୍ତି ଯାହା କେବଳ ମଣିଷ ଭଳି ଦେଖାଯାଉନାହିଁ, ବରଂ ଉଡ଼ି ମଧ୍ୟ ପାରୁଛି। ‘iRonCub MK3’ ନାମକ ଏହି ରୋବୋଟ୍‌ ନିକଟରେ ପ୍ରଥମ ଥର ପାଇଁ ସଫଳତାର ସହ ଉଲ୍ଲମ୍ବ ଉଡ଼ାଣ (ଭର୍ଟିକାଲ ଟେକ୍‌ଅଫ୍‌) କରିଛି। ଏହାକୁ ଭବିଷ୍ୟତରେ ଉଡ଼ନ୍ତା ରୋବୋଟ୍‌ର ସ୍ବପ୍ନକୁ ବାସ୍ତବରେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ଇଟାଲୀର ଇଟାଲିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (IIT) ଏହି ଅଦ୍ଭୁତ ରୋବୋଟ୍‌ର ନିର୍ମାଣ କରିଛି। ଏହାର ଡିଜାଇନ୍‌ ମଣିଷର ଶରୀର, ଖାସକରି ଏକ ଶିଶୁର ଆକୃତିକୁ ଆଧାର କରି ତିଆରି ହୋଇଛି। ଏହି ରୋବୋଟ୍‌ର ଉଚ୍ଚତା ପ୍ରାୟ ୧ ମିଟର ଏବଂ ଓଜନ ୨୨ କିଲୋଗ୍ରାମ। ଚାରୋଟି ଥ୍ରଷ୍ଟର (ଜେଟ୍‌ ଇଞ୍ଜିନ୍‌) ସାହାଯ୍ୟରେ ଏହା ଉଡ଼ିବାରେ ସକ୍ଷମ। ଦୁଇଟି ଥ୍ରଷ୍ଟର ଏହାର ହାତରେ ଏବଂ ଅନ୍ୟ ଦୁଇଟି ପିଠିରେ ଜେଟପ୍ୟାକ୍‌ ଆକାରରେ ଲାଗିଛି। ୧୮ ଜୁନ୍‌ରେ IIT ଦ୍ବାରା ଇଉଟ୍ୟୁବ୍‌ରେ ପ୍ରକାଶିତ ଏକ ଭିଡିଓରେ ଏହି ରୋବୋଟ୍‌ ମାଟିରୁ ପ୍ରାୟ ୫୦ ସେଣ୍ଟିମିଟର ଉପରକୁ ଉଠି ହାଓ୍ବାରେ ଭାସୁଥିବା ଦେଖାଯାଇଛି। ଏହି ସମୟରେ ଏହା ଏକ ସୁରକ୍ଷା ଦଉଡ଼ିରେ ବନ୍ଧା ହୋଇଥିଲା, ଯାହା ନିୟନ୍ତ୍ରିତ ଉଡ଼ାଣକୁ ସୁନିଶ୍ଚିତ କରିଥିଲା।

iRonCub MK3 ହେଉଛି ୨୦୦୯ରେ ୟୁରୋପର RobotCub Consortium ଦ୍ବାରା ନିର୍ମିତ iCub3 ରୋବୋଟ୍‌ର ଏକ ଉନ୍ନତ ସଂସ୍କରଣ। ଏଥିରେ ଟାଇଟାନିୟମ୍‌ରେ ନିର୍ମିତ ମେରୁଦଣ୍ଡ, ତାପରୁ ରକ୍ଷା କରୁଥିବା ପ୍ୟାନେଲ ଏବଂ ଜେଟ୍‌ ଇଞ୍ଜିନ୍‌ ପାଇଁ ମଜବୁତ ମାଉଣ୍ଟିଂ ବ୍ରାକେଟ୍‌ ଯୋଗ କରାଯାଇଛି। ଉଡ଼ାଣ ସମୟରେ ସ୍ଥିରତା ରକ୍ଷା ପାଇଁ ଥ୍ରଷ୍ଟରଗୁଡ଼ିକର କୋଣ ମଧ୍ୟ ବିଶେଷ ଭାବେ ସମନ୍ବୟ କରାଯାଇଛି। ବର୍ତ୍ତମାନ ପାଇଁ ରୋବୋଟ୍‌ର ହାତ ହଟାଇ ଦିଆଯାଇଛି, ଯାହା ଦ୍ବାରା ହାତରେ ଥିବା ଥ୍ରଷ୍ଟରଗୁଡ଼ିକ ପାଇଁ ଜାଗା ମିଳିପାରିବ। ତେବେ ଭବିଷ୍ୟତରେ ଏହାକୁ ପୁନଃ ଯୋଡ଼ାଯିବ ବୋଲି ଜଣାପଡ଼ିଛି। ଥ୍ରଷ୍ଟରଗୁଡ଼ିକର ତାପମାତ୍ରା ୬୦୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହୋଇପାରେ, ଯାହା ରୋବୋଟ୍‌କୁ ଜଳାଇ ଦେଇପାରେ। ତେଣୁ ବୈଜ୍ଞାନିକମାନେ ପ୍ରଥମେ କମ୍ପ୍ୟୁଟର ସିମୁଲେସନ୍‌ରେ ଏହାର ବାରମ୍ବାର ପରୀକ୍ଷଣ କରିଥିଲେ। ପୂର୍ବରୁ ପରୀକ୍ଷଣ ସମୟରେ ପ୍ରୋଟୋଟାଇପ୍‌ରେ ନିଆଁ ଲାଗିବା ଭଳି ଘଟଣା ମଧ୍ୟ ଘଟିଥିଲା।

ଏହି ରୋବୋଟ୍‌ର ଉଡ଼ାଣକୁ ନିୟନ୍ତ୍ରଣ କରିବା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ରୋବୋଟ୍‌ର ସମସ୍ତ ଜୋଡ଼ି (ଜଏଣ୍ଟ୍‌) ଏବଂ ଥ୍ରଷ୍ଟରଗୁଡ଼ିକୁ ଏକତ୍ର ସମନ୍ବୟ କରିବା ଆବଶ୍ୟକ ଥିଲା, ଯାହା ଦ୍ବାରା ଉଡ଼ାଣ ସମୟରେ ଏହା ଅସନ୍ତୁଳିତ ହେଉ ନାହିଁ କିମ୍ବା ଓଲଟି ନ ଯାଏ। ଏଥିପାଇଁ ବୈଜ୍ଞାନିକମାନେ Linear Parameter Varying Model Predictive Control (LPV-MPC) ନାମକ ଏକ ଅତ୍ୟାଧୁନିକ ଉଡ଼ାଣ ନିୟନ୍ତ୍ରଣ ପ୍ରଯୁକ୍ତି ବ୍ୟବହାର କରିଛନ୍ତି। ଏହା ରୋବୋଟ୍‌ର ଜୋଡ଼ିଗୁଡ଼ିକର ଅବସ୍ଥାନ ଏବଂ ଜେଟ୍‌ର ଗତିକୁ ପ୍ରତି ମୁହୂର୍ତ୍ତରେ ଗଣନା କରୁଥାଏ।

Comments are closed.