Latest Odisha News

BREAKING NEWS

ଆଜି ଆସିବ ରାଜ୍ୟର ଅନଲକ୍ ୪ ଗାଇଡଲାଇନ୍, ଏସବୁ କ୍ଷେତ୍ରକୁ ଫୋକସ

ଭୁବନେଶ୍ୱର: ଆଜି ଶେଷ ହେଉଛି ଅନଲକ୍ ୩ ସମୟସୀମା । କାଲିଠୁ ଅନଲକ୍ ୪ । କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଆଜି ଅନଲକ୍ ୪ ନେଇ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କେଉଁ କ୍ଷେତ୍ରକୁ କୋହଳ କରିବେ ତାଉପରେ ନଜର ରହିଛି ।

ଉଠିବ କି ସଟଡାଉନ୍ ?
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା ଓ ରାଉରକେଲା ସହରରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ଏବେ ସେପ୍ଟେମ୍ବରରେ କି ନିଷ୍ପତ୍ତି ନିଆଯିବ ? କେନ୍ଦ୍ରର ଅନଲକ୍ ୪ ଗାଇଡାଇନ ଅନୁସାରେ ଏଣିକି ରାଜ୍ୟଗୁଡ଼ିକ ମନଇଚ୍ଛା ଲକଡାଉନ୍ କରି ପାରିବେ ନାହିଁ । ଗଞ୍ଜାମ ଛାଡ଼ି ଅନ୍ୟ ଜିଲ୍ଲାରେ ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ ସେସବୁ ଜିଲ୍ଲାର ଷ୍ଟ୍ରାଟେଜୀ କଣ ରହିବ ତାଉପରେ ନଜର ରହିଛି ।

ଖୋଲିବ କି ମନ୍ଦିର ?
ତୃତୀୟ ପର୍ଯ୍ୟାୟ ଅନଲକରେ ଧର୍ମାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଖୋଲିବା ଉପରେ ପ୍ରତିବନ୍ଧକ ବଳବତ୍ତର ରଖିଥିଲେ । ଅନଲକ ୪ରେ ଏସବୁ ଖୋଲିବ କି ନାହିଁ ତାଉପରେ ନଜର ରହିବ ।
ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ହେବ କି ?
ଅନଲକ୍ ୪ରେ କେନ୍ଦ୍ର ସରକାର ସର୍ତ୍ତ ସହ ସାମାଜିକ, ରାଜନୈତିକ, ଧାର୍ମିକ ସାଂସ୍କୃତିକ ସମାବେଶ ପାଇଁ ଅନୁମତି ଦେଇଛନ୍ତି । ସର୍ବାଧିକ ଶହେ ଲୋକ ଏକାଠି ହୋଇପାରିବେ । ରାଜ୍ୟରେ ଏବେ ସଂକ୍ରମଣ ବଢୁଥିବାରୁ ସମାବେଶ ଆୟୋଜନକୁ ଅନଲକ୍ ୪ରେ ସରକାର ଅନୁମତି ଦେବେ କି ନାହିଁ ?

ଉଠିବ କି ନାଇଟ୍ କର୍ଫ୍ୟୁ ?
ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁକୁ କେନ୍ଦ୍ର ସରକାର ଉଠାଇ ଦେଇଥିଲେ । କିନ୍ତୁ ଅଗଷ୍ଟରେ ସଂକ୍ରମଣ ଅଧିକ ବଢ଼ିବା ଆଶଙ୍କା କରି ରାତି କର୍ଫ୍ୟୁକୁ ବଳବତ୍ତର ରଖିଥିଲେ ରାଜ୍ୟ ସରକାର । ସେପ୍ଟେମ୍ବର ପୂର୍ବରୁ ସଂକ୍ରମଣ ଲକ୍ଷେ ପାର କରିଥିବା ବେଳେ ନାଇଟ୍ କର୍ଫ୍ୟୁ ଉଠିବ ନା ବଳବତ୍ତର ରହିବ ?

ସେପ୍ଟେମ୍ବର ୨୧ ପରେ ଖୋଲିବ କି ସ୍କୁଲ ?
ସେପ୍ଟେମ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଅନଲକ୍ ୪ରେ କହିଛନ୍ତି କେନ୍ଦ୍ର ସରକାର । କିନ୍ତୁ ସେପ୍ଟେମ୍ବର ୨୧ ପରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ବୋଲି ଗାଇଡଲାଇନରେ ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏଁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି । ଏବେ ସେପ୍ଟେମ୍ବର ୨୧ ପରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ସରକାର ଅନୁମତି ଦେବେ କି ନାହିଁ ତାଉପରେ ବି ନଜର ରହିଛି ।

ଅଗଷ୍ଟ ଶେଷ ସୁଦ୍ଧା ସଂକ୍ରମଣ ଲକ୍ଷେ ଟପିଛି । ୮ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେରୁ ଅଧିକ ଲେଖାଏ ରହିଛି । ଏଭଳି ସ୍ଥିତିରେ ସରକାରଙ୍କ ଅନଲକ ୪ ଗାଇଡଲାଇନ ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.