Latest Odisha News

BREAKING NEWS

ପ୍ରମୁଖ ଅର୍ଥନୈତିକ ସଙ୍କଟ ଆଡକୁ ଗତି କରୁଛି ଶ୍ରୀଲଙ୍କା!

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ଖବର ସାମ୍‌ନାକୁ ଆସିଛି। କିନ୍ତୁ ଏହାକୁ ଅସ୍ୱୀକାର  କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଜନ ନିରାପତ୍ତା ଅଧିନିୟମରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ୩୦ ଅଗଷ୍ଟ ୨୦୨୧ରେ ଜରୁରୀ ଖାଦ୍ୟ ସାମଗ୍ରୀ ବଣ୍ଟନ ସମ୍ବନ୍ଧରେ ଜରୁରୀକାଳୀନ ନିୟମ ଲାଗୁ କରିଛନ୍ତି।

ଏହା ପରେ ସରକାର ଧାନ, ଚାଉଳ ଏବଂ ଚିନି ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଷ୍ଟକ୍ କ୍ରୟ କରିଛନ୍ତି। ସରକାର କହିଛନ୍ତି ଯେ ବଜାରର ଅନିୟମିତତାକୁ ରୋକିବା ସହିତ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

ଦେଶରେ ଖାଦ୍ୟ ଅଭାବକୁ ଶ୍ରୀଲଙ୍କା ସରକାର ଅସ୍ୱୀକାର କରିଛନ୍ତି। କିନ୍ତୁ ସାଧାରଣ ଲୋକମାନଙ୍କୁ କିରୋସିନ ତେଲଠାରୁ ଆରମ୍ଭ କରି ଚାଉଳ ପର୍ଯ୍ୟନ୍ତ ସବୁକିଛି କିଣିବା ସେମାନଙ୍କ କଷ୍ଟକର ହୋଇଯାଉଛି। ଶ୍ରୀଲଙ୍କା ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ଆଡକୁ ଗତି କରୁଥିବା ଜଣାପଡିଛି। ଧାନ, ଚାଉଳ, ଚିନି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ସମନ୍ୱିତ କରିବା ପାଇଁ ରାଷ୍ଟ୍ରପତି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।

ଗତ କିଛି ମାସ ହେବ ଶ୍ରୀଲଙ୍କା ମୁଦ୍ରା ହ୍ରାସ ପାଇଛି। ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୨୦୦ ଶ୍ରୀଲଙ୍କା ଟଙ୍କାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସୁଧ ହାର ବୃଦ୍ଧି କରିଛି। ଆଳୁ, ପିଆଜ, ଚିନି ଏବଂ ଚାଉଳର ମୂଲ୍ୟ ଦେଶରେ କ୍ରମାଗତ ଭାବେ ବୃଦ୍ଧି ଘଟୁଛି।

ଏହା ସହିତ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଜୁଲାଇ ଶେଷ ସୁଦ୍ଧା ଏହା ୨.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୧୯ରେ ଯେତେବେଳେ ଗୋତାବାୟା କ୍ଷମତାକୁ ଆସିଥିଲେ, ସେତେବେଳେ ଏହା ୭.୫ ବିଲିୟନ ଡ଼ଲାର ଥିଲା।

ମହାମାରୀ କରୋନା ଶ୍ରୀଲଙ୍କାର ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଶ୍ରୀଲଙ୍କାର ଅର୍ଥନୀତିରେ ପର୍ଯ୍ୟଟନର ଏକ ବଡ଼ ଭୂମିକା ରହିଛି ଏବଂ ଏହି କାରଣରୁ ଶ୍ରୀଲଙ୍କାର ଅର୍ଥନୀତି ଗତ ବର୍ଷ ରେକର୍ଡ ୩.୮ ପ୍ରତିଶତ ହ୍ରାସ ପାଇଛି।

Comments are closed.