Latest Odisha News

ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମାଲକାନଗିରି ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢୀଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।

ସୂଚନାନୁସାରେ, ସେ କିଡନୀ ରୋଗରେ ପୀଡିତ ଥିଲେ ଏବଂ ପ୍ରାୟ ଦୁଇ ବର୍ଷ ପୂର୍ବେ ତାଙ୍କର କିଡନୀ ପ୍ରତିରୋପଣ ମଧ୍ୟ ହୋଇଥିଲା।

କ୍ରମାଗତ ଦୁଇଟି ପରାଜୟ ପରେ ମାଢୀ ୨୦୧୯ରେ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସର ପ୍ରତିନିଧି ମାଲା ମାଢୀଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ। ସେ ପାଖାପାଖି ୨୫,୫୬୯ ଭୋଟ ବ୍ୟବଧାନରେ ଜିତିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ। ତାଙ୍କ ବଦଳରେ ଚଳିତ ଥର ବିଜେପି ନରସିଂହ ମାଡକାମୀଙ୍କୁ ପ୍ରାର୍ଥୀ କରିଥିଲା।

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମାଲକାନଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ ନିକଟରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ଏଥିପାଇଁ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସଂତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.