Latest Odisha News

ପରଲୋକରେ କଟକର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା)ଙ୍କ ଆଜି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସମେତ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

କଟକ ସଦରରୁ ଥରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ନିବେଦିତା ପ୍ରଧାନଙ୍କ ଶେଷକୃତ୍ୟ ଗୁରୁବାର ରାତିରେ ସହରର ଖାନନଗର ଶ୍ମଶାନରେ ସମ୍ପନ୍ନ ହେବ। କେନ୍ଦ୍ରାପଡାରେ ଜନ୍ମିତ ନିବେଦିତା ପ୍ରଧାନ ଛାତ୍ର ଜୀବନରୁ ସମାଜସେବାରେ ନିୟୋଜିତ ଥିଲେ। କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନ୍ଯତମ ବିଜେପି ନେତା ସମୀର ଦେଙ୍କ ପରାମର୍ଶ କ୍ରମେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ।

ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ହେବା ପୂର୍ବରୁ ସେ ବିଜେପି ମହିଳା ମୋର୍ଚ୍ଚାରେ ବିଭିନ୍ନ ପଦପଦବୀରେ ଥିଲେ। 1998ରେ ସେ ପ୍ରଥମେ ହରିପୁରରୁ କାଉନସିଲର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ହରିପୁରରୁ ନିର୍ବାଚିତ ହୋଇଥିଲେ ଯେଉଁଠାରେ ଆଶୀର୍ବାଦ ବେହେରା ଅଧ୍ୟକ୍ଷ ଥିବା ସମୟରେ ସେ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ମର ଶରୀରକୁ କଟକସ୍ଥିତ ବାସଭବନକୁ ହସ୍ପିଟାଲରୁ ଅଣାଯାଇଥିଲା । ସେଠାରେ ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର କର୍ମତତ୍ପର ନେତ୍ରୀ ଓ କଟକବାସୀଙ୍କ ଅତିପ୍ରିୟ ଥିଲେ । ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।

ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ କଟକ ସ୍ଥିତ ବାସଭବନକୁ ଯାଇ ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Comments are closed.