Latest Odisha News

କଂଗ୍ରେସରୁ ଇସ୍ତଫା ଦେଲେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ

କଳାହାଣ୍ଡି : ରାଜ୍ୟରେ ଭାଙ୍ଗୁଛି କଂଗ୍ରେସ । ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ନେତା । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦଇଛନ୍ତି । ଠିକ୍ ଏତିକି ବେଳେ, ହାତ ଛାଡ଼ିଛନ୍ତି ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ । ଗତ ୨୦୦୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଶିବାଜୀ । ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଶିବାଜୀ । ଦଳର ଅଣଦେଖା ଯୋଗୁଁ ଇସ୍ତଫା ଦେଲେ ଶିବାଜୀ ମାଝୀ । ୨୦୧୯ ନିର୍ବାଚନରେ ସେ ପୁଣି ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ହାରି ଯାଇଥିଲେ । ତବେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଇସ୍ତଫା ଦେଇଛନ୍ତି ଶିବାଜୀ । ଏନେଇ ପିସିସି ସଭାପତିଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

କଂଗ୍ରେସରୁ ଇସ୍ତଫା ଦେବା ଶିବାଜୀ ମାଝୀ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶିବାଜୀଙ୍କୁ ପୂର୍ବରୁ ଅନେକ ନେତା କଂଗ୍ରେସରୁ ଇସ୍ତଫା ଦେଲେଣି । ଏହା ପୂର୍ବରୁ ପ୍ରଦୀପ ମାଝୀ ଦଳ ଛାଡିଥିଲେ । ଆଜି ନବରଙ୍ଗପୁରରେ ନିଜ ସମର୍ଥକଙ୍କୁ ଧରି ବିଜେଡିରେ ସାମିଲ ହେଲେ ପ୍ରଦୀପ ମାଝୀ । ସେହିପରି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ଯିଏ କଂଗ୍ରେସ ଛାଡନ୍ତୁ ନା କାହିଁକି ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଦଳୀୟ ନେତା ।

Comments are closed.