ବାରିପଦା: ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ଅଭିଯୋଗ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ପରେ ହଲ୍ ଭିତରକୁ ଯିବାକୁ ଅନୁମତି ନଦେଇ ତାଙ୍କୁ ଅପମାନିତ କରିଛନ୍ତି। ଯାହାକୁ ନେଇ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ଯେଉଁ ହଲରେ ସମାବର୍ତ୍ତନ ଉତ୍ସବ ଚାଲିଥିଲା ସେଠାରେ ପ୍ରବେଶ ପଥରେ ମୁତୟନ ଥିବା ପୁଲିସ ଅଧିକାରୀମାନେ ତାଙ୍କୁ ଭିତରକୁ ଯିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ରାଜ୍ୟର ଏହି ପୂର୍ବତନ ମନ୍ତ୍ରୀ ନିମନ୍ତ୍ରଣ ପତ୍ର ଚିରି ଫୋଫାଡି ଦେଇଥିବା ଅଭିଯୋଗ ହୋଇଛି।
ସେ କହିଛନ୍ତି, ମୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇଥିଲି। ଏପରିକି ନିମନ୍ତ୍ରଣ ପତ୍ର ମଧ୍ୟ ନେଇଯାଇଥିଲି। ପ୍ରଚଣ୍ଡ ଖରାରେ ମୁଁ ତକତପୁର ଛକରୁ ଚାଲି ଚାଲି ବିଶ୍ୱବିଦ୍ୟାଳୟକୁ ଆସିଥିଲି। ଏଠାରେ ପହଞ୍ଚିବା ପରେ ମୋତେ କୁହାଯାଇଥିଲା ଯେ କେବଳ ସ୍ୱତନ୍ତ୍ର ହଳଦିଆ କାର୍ଡଧାରୀମାନଙ୍କୁ ହଲ୍ ଭିତରକୁ ଯିବାକୁ ଦିଆଯାଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମୋର ପ୍ରଶ୍ନ ହେଉଛି ଯଦି ସେମାନଙ୍କ ପାଖରେ ଏଭଳି ବ୍ୟବସ୍ଥା ଥିଲା, ତେବେ ସେମାନେ କାହିଁକି ନିମନ୍ତ୍ରଣ ପତ୍ର ସହିତ ହଳଦିଆ କାର୍ଡ ପ୍ରଦାନ କଲେ ନାହିଁ?
ସେ କହିଛନ୍ତି, ଯେଉଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ବହୁ ସଙ୍ଘର୍ଷ କରିଥିଲେ, ସେହି ବିଶ୍ୱବିଦ୍ୟାଳୟରେ ତାଙ୍କୁ ଅପମାନିତ କରିଛି।ଏହା ମୋ ପାଇଁ ଅପମାନ ନୁହେଁ। ବରଂ ଏହା ସମଗ୍ର ମୟୂରଭଞ୍ଜ ପାଇଁ ଏକ ଅପବାଦ। ମୋତେ ଅପମାନିତ ମନେ ହେଉଛି। ମୁଁ କହିବାକୁ ଚାହେଁ ଯେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୋତେ ହଲ୍ ଭିତରକୁ ନ ପଠାଇ ମୋତେ ଅପମାନିତ କରିଛନ୍ତି। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ରଖିବା ବେଳେ ଆଲୁଅ ସେବା ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମାଲୋଚନାର ଶିକାର ହୋଇଛନ୍ତି। କେଉଁ କାରଣ ପାଇଁ ଏଭଳି ବିଭ୍ରାଟ ହେଲା ତାହା କେହି ସ୍ବୀକାର କରିବାକୁ ନାରାଜ। କିନ୍ତୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆରଡିସି ଏକ ବୈଠକ ଡାକିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.