Latest Odisha News

BREAKING NEWS

ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ, କୌଶଳ ଆୟତ କରିବା ଉପରେ ସଂସାଧକମାନଙ୍କ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀର ଯୁଗ୍ମ ନିର୍ଦେଶକ ଟୁକୁ ବାରିକ, ଉପ ନିର୍ଦ୍ଦେଶକ ମନୋଜ ନାୟକ, ସହକାରୀ ନିର୍ଦ୍ଦେଶିକା ସୁଶ୍ରୀ ମଧୁସ୍ମିତା ସାହୁ, ଗବେଷଣା ସହାୟକ ସୁଶ୍ରୀ ସଂଯୁକ୍ତା ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଯୋଗଦାନ କରିଥିଲେ ।

ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସାହୁ ମତାମତ ଦେଇ କହିଛନ୍ତି ଯେ ଏହି ଅଭିନବ ପଦକ୍ଷେପ ପାଇଁ ବିଭାଗ ତରଫରୁ ୨୧ ଟି ଜନଜାତି ଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ପ୍ରସ୍ତୁତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ହୋଇସାରିଛି । ଏହା ପର୍ଯ୍ୟାୟ କ୍ରମେ ଭାଷାୱାରୀ ପ୍ରତେକ ଛାତ୍ରଛାତ୍ରୀଙ୍କ ପାଖକୁ ପଠାଯିବ । ଶିକ୍ଷକମାନଙ୍କ ସହ ଶିକ୍ଷା ସଂକ୍ରାନ୍ତୀୟ ଆଲୋଚନା ପ୍ରସଙ୍ଗରେ ଜିଲ୍ଲା ସ୍ତରରେ ବହୁଭାଷୀ ଶିକ୍ଷଣ ପ୍ରୟୋଗ ଶାଳା  ପ୍ରତିଷ୍ଠା, ମାତୃଭାଷା ଆଧାରିତ ଡିଜିଟାଲ ଶିକ୍ଷଣ ସାମଗ୍ରୀ, ମାତୃଭାଷା ଆଧାରିତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ସହ ମାତୃଭାଷାକୁ ଶିକ୍ଷାଦାନର ମାଧ୍ୟମ କରାଇବାରେ ପ୍ରାଥମିକ ଶିକ୍ଷକମାନଙ୍କୁ ସ୍ଵତନ୍ତ୍ର ଓ  ପର୍ଯ୍ୟାପ୍ତ ତାଲିମ ଦେବା ଉପରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମିକୁ ପରାମର୍ଶ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶାର ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ , କନ୍ଧମାଳ ଜିଲାରୁ ୩୦ ଜଣ ସଂସାଧକ ଶିକ୍ଷକ ଯୋଗଦାନ କରିଛନ୍ତି।

 

Comments are closed.