Latest Odisha News

BREAKING NEWS

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୫ ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଲା କାର୍। ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରଜୌରୀ ଜିଲ୍ଲାର ଥନାମଣ୍ଡି ଅଞ୍ଚଳର ଭଙ୍ଗାଇ ଅଞ୍ଚଳରେ ବୁଧବାର ଭୋର ପ୍ରାୟ ୩ ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ଖବର ପାଇବା ମାତ୍ରେ ଘଟଣାସ୍ଥଳର ଲୋକମାନେ ତୁରନ୍ତ ଗୁରୁତରଙ୍କୁ ରଜୌରୀ ମେଡିକାଲ କଲେଜକୁ ନେଇଥିବାବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତରମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ରଜୌରୀ ମେଡିକାଲ କଲେଜର ଅଧୀକ୍ଷକ ଡକ୍ଟର ମେହମୁଦ ହୁସେନ୍। ବର୍ତ୍ତମାନ ଅନ୍ୟ ଗୁରୁତରଙ୍କର ଚିକିତ୍ସା ଚାଲିଛି।

ଜିଲ୍ଲା ବିକାଶ କମିଶନର ରଜୌରୀ ବିକାଶ କୁଣ୍ଡଲ ଏବଂ ତାଙ୍କ ସହ ଥିବା ପୋଲିସ ଅଧିକାରୀ ମେଡିକାଲ କଲେଜରେ ପହଞ୍ଚି ସମଗ୍ର ଘଟଣାରେ ଗୁରୁତର ଯାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସେଠାରେ ଗୁରୁତରମାନଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ। ଏଥିସହ ଥନାମଣ୍ଡି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଏହାପୂର୍ବରୁ ଜୁନ୍ ୨୭ ରେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଡୋଡା ଆଡକୁ ଆସୁଥିବା ଏକ ଅନିୟନ୍ତ୍ରିତ କାର ହଠାତ୍ ଖାଲରେ ପଡ଼ିଯାଇଥିଲା। ଏହି ଘଟଣାରେ ୧୨ ଜଣ ଆହତ ହୋଇଥିଲେ। ସୂଚନା ଥାଉକି ଚଳିତ ମାସ ରଜୌରୀରେ ଏହା ହେଉଛି ତୃତୀୟ ପ୍ରମୁଖ ସଡ଼କ ଦୁର୍ଘଟଣା।

Comments are closed.