Latest Odisha News

BREAKING NEWS

ଚଳିତ ବର୍ଷ ୨ଟି ଗ୍ରହଣ ୨ଟି ପରାଗ, ଜାଣନ୍ତୁ ଭାରତରେ ହେବ କି ନାହିଁ ଦୃଶ୍ୟମାନ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ନୂତନ ବର୍ଷ ଆରମ୍ଭ ପରେ ଏବେ କ୍ୟାଲେଣ୍ଡରରେ କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ ଗ୍ରହଣ-ପରାଗ ଲାଗିବ ଏବଂ ଭାରତରେ କେତେ ଦୃଶ୍ୟମାନ ହେବ, ଏହିପରି ଅନେକ କଥା ଲୋକେ ଦେଖୁଛନ୍ତି । ତେବେ କହିରଖୁଛୁ ଯେମ ଚଳିତ ବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟୋପରାଗ ହେଉଥିବାବେଳେ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ। ତେବେ ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ଦେଖାଯିବ । ତେବେ ଏହା ଭରତରେ ଦୃଶ୍ୟମାନ ହେବ ନାହିଁ । ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟ୍‌ଲାଣ୍ଟିକ୍‌ ମହାସାଗର କେତେକ ଅଞ୍ଚଳରେ ଏହା ଦେଖାଯିବ ।

ଦ୍ଵିତୀୟରେ ମାର୍ଚ୍ଚ ମାସ ୨୯ ତାରିଖରେ ସଂଗଠିତ ହେବ ଆଂଶିକ ସୂର୍ଯ୍ୟ ପରାଗ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ । ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଏହା ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି ।

ତୃତୀୟରେ ସେପ୍ଟେମ୍ୱର ୭-୮ ତାରିଖରେ ସଂଗଠିତ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ସମଗ୍ର ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ସେପ୍ଟେମ୍ୱର ୭ ତାରିଖ ରାତି ୮ଟା ୫୮ ରୁ ଗ୍ରହଣ କାଳ ଆରମ୍ଭ ହୋଇ ୨ଟା ୨୫ ପର୍ଯ୍ୟନ୍ତ ରହିବ। ସେହିପରି ପୂର୍ଣ୍ଣ ଗ୍ରହଣ ରାତି ୧୦ଟାରୁ ରାତି ୧୨ଟା ମଧ୍ୟରେ ହେବ । ଦୀର୍ଘ ୨ ଘଣ୍ଟା ୨୨ ମିନିଟ୍‌ ଧରି ଗ୍ରହଣ ଦେଖାଯିବ। ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତବର୍ଣ୍ଣ ଧାରଣ କରିବେ ବୋଲି ସୂଚନା ଦେଇଛନ୍ତି ପଠାଣିସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ତେବେ ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ୱର ୨୧-୨୨ ଦୃଶ୍ୟମାନ ହେବ । କିନ୍ତୁ ଏହା ଭାରତରେ ଦୃଶ୍ୟ ହେବ ନାହିଁ । ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଏହି ପରାଗ ଦୃଶ୍ୟମାନ ହେବ।

 

Comments are closed.