Latest Odisha News

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ୪ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି।

ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ ।

ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ଡଃ ମନୋଜ କୁମାର ନାୟକ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ଦେବବ୍ରତ
ପ୍ରଧାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଶନିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସୋଆର ୭ ଜଣ ବିଶିଷ୍ଟ ଗବେଷକ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ,ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ ସ୍ଥାନ ପାଇଥିଲେ ।

ଏହି ୭ ଜଣ ଗବେଷକଙ୍କ ପରେ ଆଉ ୪ ଜଣଙ୍କ ନାମ ଏହି ତାଲିକାକୁ ଆସିବା ଫଳରେ ସୋଆର ୧୧ ଜଣ ଗବେଷକ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌)ର‌୍ୟାଙ୍କିଙ୍ଗ୍ – ୨୦୨୦ରେ ସୋଆ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୨୦ ତମ ସ୍ଥାନ ହାସଲ କରିଛି ।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ତାଲିକା କରାଯାଇଥିଲା । ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ନିକଟରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି ।

ପ୍ରଫେସର ରଥ ବର୍ତମାନ ସୋଆର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ରେ ଫାର୍ମାସ୍ୟୁଟିକ୍‌ସ ବିଭାଗର ପ୍ରଫେସର
ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ନାୟକ ସୋଆ ଅଧିନସ୍ଥ +୨ ସାଇନ୍ସ କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନ୍ (ଆଇଏଚ୍‌ଏସ୍‌ଇ) ଅଧ୍ୟାପକ ଭାବେ କାର୍ଯ୍ୟରତ ।

ସେହିପରି ଡଃ ମିଶ୍ର ଏବଂ ଡଃ ପ୍ରଧାନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଫ୍ୟାକଲ୍ଟି ଭାବେ କାର୍ଯ୍ୟରତ ଅଛନ୍ତି ।

ସୋଆ କୁଳପତି ପ୍ରଫେସର ମହାପାତ୍ର ଏହି ଚାରି ଗବେଷକଙ୍କୁ ଶନିବାର ସମ୍ବର୍ଦ୍ଧିତ କରିଥିବା ବେଳେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୁଷଣ ପ୍ରଧାନ ଓ ଡିନ୍ (ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବର୍ଦ୍ଧିତ ହୋଇଥିବା ଏହି ୪ ଗବେଷକଙ୍କ ମଧ୍ୟରୁ ପ୍ରଫେସର ରଥ ଔଷଧ ଏବଂ ବାୟୋ ଆକ୍ଟିଭ୍‌ସ୍ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଂଚାଇବା ନିମନ୍ତେ ନାନୋଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପ୍ରତିଷ୍ଠିତ ଜର୍ନାଲ୍‌ରେ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶ ପାଇଛି । ସେ ୪ଟି ଟେକ୍ସଟ୍ ବୁକ୍ ମଧ୍ୟ ରଚନା କରିଛନ୍ତି ।

ସେ ବର୍ତମାନ ଔଷଧ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରାଯାଉଥିବା ନନ୍ ଇନ୍‌ଭାସିଭ୍ ଡ୍ରାଏ ପାଉଡର୍ ଇନ୍‌ହେଲର୍ ନିମନ୍ତେ ଲିପିଡ୍‌/ପଲିମର୍‌/ପଲିସାରାଇଡ୍ସ ମିଶ୍ରିତ ଇମ୍ୟୁନୋମୋଡୋଲେଟର୍ସ ପ୍ରସ୍ତୁତି କ୍ଷେତ୍ରରେ ଗବେଷଣା କରୁଛନ୍ତି ।

ସେହିପରି ଡଃ ନାୟକ ୧୯୯୫ ମସିହାରେ ଏନ୍‌ଆଇଟି, ରାଉରକେଲାରୁ ଏମ୍‌ଏସ୍‌ସି କରିଥିବା ବେଳେ ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି ।
ସେ ନାନୋଫ୍ଲୁଇଡ୍ସ କ୍ଷେତ୍ରରେ ଗବେଷଣାରତ । ସେ ୨୨ ବର୍ଷ ଧରି ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିବା ବେଳେ ତାଙ୍କର ୮୩ ଟି ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି । ଅନେକ ଗବେଷଣାରତ ସ୍କଲାର୍ ତାଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି ।

ଡଃ ମିଶ୍ର ଆଇଟିଇଆର୍‌ର ଗଣିତ ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ । ସୋଆରୁ ଏମ୍‌.ଟେକ୍ ଏବଂ ପିଏଚ୍‌ଡି ହାସଲ କରିଥିବା ବେଳେ ସେ ଅନେକ ପିଏଚ୍‌ଡି ଛାତ୍ରଙ୍କୁ ଗବେଷଣାରେ ସହଯୋଗ କରୁଛନ୍ତି । ୧୨୫ଟି ଗବେଷଣାରତ ସନ୍ଦର୍ଭ ସେ ପ୍ରସ୍ତୁତ କରିଛନ୍ତି।

ସେହିପରି ଡଃ ପ୍ରଧାନ ସୋଆର ବାୟୋ-ଫୁଏଲ୍ସ ଏବଂ
ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେନ୍‌ଟରରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ । ସେ ଅଲ୍‌ଗଲ୍ ଟେକ୍ନୋଲୋଜି, ବାୟୋଚାର୍ ଆଣ୍ଡ ବାୟୋଫୁଏଲ୍ସ, ୱେଷ୍ଟ ୱାଟର୍ ଟ୍ରିଟ୍‌ମେନ୍‌ଟ, ବାୟୋମିନେରାଲ୍ ପ୍ରୋସେସିଙ୍ଗ୍‌, ସଲିଡ୍ ୱେଷ୍ଟ ମ୍ୟାନେଜମେନ୍‌ଟ ଏବଂ ବାୟୋମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଗବେଷଣାରତ ।

Leave A Reply

Your email address will not be published.