Latest Odisha News

ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ କୋଭିଡ୍ ଲହର!

ଭୁବନେଶ୍ୱର: ଚୀନ ଓ ଦକ୍ଷିଣ କୋରିଆରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ପରେ ଭାରତରେ ଚତୁର୍ଥ କୋଭିଡ୍ ଲହରର ଭୟ ଦେଖାଦେଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି ମଙ୍ଗଳବାର କହିଛନ୍ତି ଯେ ଅନେକ ମଡେଲ ଅନୁଯାୟୀ, ଚୀନରେ କୋଭିଡ୍ ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଚୀନରେ କୋଭିଡ୍ ସଂକ୍ରମଣ ଚରମ ସୀମାରେ ପହଞ୍ଚି ନାହିଁ ଏବଂ ଜାନୁଆରି 13ରୁ 15 ମଧ୍ୟରେ ସଂକ୍ରମଣ ବଢିପାରେ ବୋଲି ଆଶା କରାଯାଉଛି।

ଚୀନରେ ପ୍ରତିଦିନ ହାରାହାରି 7ରୁ 10 ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଥିବା ବେଳେ 25 ହଜାର ମୃତ୍ୟୁ ମୁଖରେ ପଡିବାର ଆଶଙ୍କା ରହିଛି। ସେହିଭଳି କିଛି ଅଧ୍ୟୟନ ଅନୁସାରେ ମାର୍ଚ୍ଚ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭାରତରେ ଚତୁର୍ଥ କୋଭିଡ୍ ଲହର ଦେଖାଦେଇପାରେ। ଅଜିତ ମହାନ୍ତି କହିଛନ୍ତି, ଚତୁର୍ଥ ଲହର ସମ୍ଭାବନା ସତ୍ତ୍ୱେ ଆମେ ଆଶା କରୁଛୁ ଯେ ଭାରତ ଓ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ଅଧିକ ହେବ ନାହିଁ, କାରଣ ଆମର କୋଭିଡ୍ ଟିକାକରଣ ସ୍ଥିତି ଭଲ ରହିଛି।

ସେ କହିଛନ୍ତି ଯେ ବର୍ତ୍ତମାନ ଜାପାନ ଏବଂ ଚୀନରେ ବୟସ୍କ ବ୍ୟକ୍ତିମାନେ କୋଭିଡ୍ ସଂକ୍ରମଣରେ ଆକ୍ରାନ୍ତ ହେଉଥିବାର ଦେଖା ଯାଇଛି। ଭାରତ ଏବଂ ଓଡିଶାରେ ପୂର୍ବରୁ ଦୁର୍ବଳ ଜନସଂଖ୍ୟାର ଟିକାକରଣ ଉପରେ ପ୍ରାଥମିକତା ଦିଆଯାଉଥିଲା, ଯେଉଁଥିରେ ଅତୀତରେ ଗୁରୁତର ରୋଗ ଥିବା ଲୋକ ମଧ୍ୟ ସାମିଲ ଥିଲେ। ଦୃଢ ରାଜନୈତିକ ଇଚ୍ଛାଶକ୍ତି, ସୁଚିନ୍ତିତ ଯୋଜନା ଏବଂ ସମସ୍ତ ଅଂଶୀଦାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆମେ ଦେଶ ଓ ରାଜ୍ୟରେ କୋଭିଡ-19 ପରିସ୍ଥିତିକୁ ମୁକାବିଲା କରିବାରେ ଫଳପ୍ରଦ ହୋଇପାରିଛୁ। କେବଳ ସର୍ବସାଧାରଣ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାରକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇଛନ୍ତି ବୋଲି ସେ କହିଛନ୍ତି।

 

Comments are closed.