Latest Odisha News

ସାଇବର ଠକଙ୍କ ଜାଲରେ ଜୟପୁର ବିଧାୟକ, ଆକାଉଣ୍ଟରୁ ୪ ଲକ୍ଷ ଗାଏବ

ଭୁବନେଶ୍ୱର: ଆଜିକାଲି ସାଇବର ସ୍କାମ ବୃଦ୍ଧି ପାଇବାରେ ଲାଗିଛି। ବ୍ୟବସାୟିକ ଡିଲ୍‌ ଆଳରେ ଠକୁଛନ୍ତି ସାଇବର ଠକ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସାଇବର ଠକଙ୍କ ଜାଲରେ ପଡିଛନ୍ତି। ଏଥିରୁ ରାଜନେତାମାନେ ମଧ୍ୟ ବର୍ତ୍ତି ନାହାଁନ୍ତି। ଏବେ ସାଇବର ଲୁଟେରାର ଶିକାର ହୋଇଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କିଛି ଦିନ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି।

ସାରା ରାଜ୍ୟରେ ଏବେ ସାଇବର କ୍ରାଇମ୍ ଓ ଫ୍ରଡ୍‌କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ସଭାରେ ବିଧାୟକ ଉପସ୍ଥିତ ଦର୍ଶକଙ୍କୁ ନିଜର ଅଭିଜ୍ଞତା ବଖାଣିଛନ୍ତି। ବିଧାୟକ କହିଛନ୍ତି, କିଛି ଦିନ ପୂର୍ବରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ତାଙ୍କୁ ଫୋନ୍ କଲ ଆସିଥିଲା। ଯିଏକି ତାଙ୍କ ଭାଇ ପାଇଁ ସିମେଣ୍ଟ ଡିଲରସିପ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। କଲର୍ ତାଙ୍କୁ କହିଥିଲେ ଯେ ଡିଲରସିପ୍ ପୁରସ୍କାର ପାଇଁ ତାଙ୍କ କମ୍ପାନୀକୁ ୪ ଲକ୍ଷ ଟଙ୍କା ଜମା ଆବଶ୍ୟକ କରୁଥିବାବେଳେ ଅନ୍ୟ କମ୍ପାନୀମାନେ ମଧ୍ୟ ୧୦ ଲକ୍ଷ ଟଙ୍କା ମାଗିଛନ୍ତି।

ଏହାପରେ ବିଧାୟକଙ୍କ ଭାଇ ସହ କଥା ହୋଇ ଆକାଉଣ୍ଟ ନମ୍ବର ନେଇଥିଲା। କଲର୍ ବିଧାୟକଙ୍କ ଭାଇଙ୍କ ନାମରେ ସିମେଣ୍ଟ ଡିଲରସିପ୍ ପାଇବାକୁ ବ୍ୟାଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର କଲରଙ୍କ ସହ ସେୟାର କରିବା ପରେ ତାଙ୍କ ଫୋନରେ ଏକ ଓଟିପି ଆସିଥିଲା। ସେ କଲରଙ୍କୁ ନିଜ ଓଟିପି ସେୟାର କରିବା ପରେ ତାଙ୍କ ଆକାଉଣ୍ଟରୁ ତୁରନ୍ତ ୪ ଲକ୍ଷ ଟଙ୍କା ପଳାଇଲା। ତେବେ କଲ୍ କରୁଥିବା ବ୍ୟକ୍ତି କୌଣସି ସିମେଣ୍ଟ ଡିଲରସିପ୍ ବ୍ୟବସ୍ଥା କରିନାହାଁନ୍ତି ବୋଲି ବିଧାୟକ କହିଛନ୍ତି।

ତା’ ପର ଦିନ ଟଙ୍କା ଉଠାଇବାକୁ ଯିବା ବେଳକୁ ଆକାଉଣ୍ଟ ଖାଲି। ଏନେଇ ବିଧାୟକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ତଦନ୍ତ କରି ବିହାର ଯାଇ ଉକ୍ତ ଠକମାନଙ୍କୁ ଧରିବାରେ ସଫଳ ହେଲା। ଏହି ଘଟଣା ଯୋଗୁଁ ନିଜକୁ ଲଜ୍ଜିତ ଅନୁଭବ କରୁଥିବାରୁ ଏଯାଏ ଚୁପ୍‌ ରହିଥିଲେ ବୋଲି କହିଛନ୍ତି ବିଧାୟକ। କିନ୍ତୁ ଏହାଦ୍ୱାରା ଯେପରି ଭାବେ ସମସ୍ତେ ସଚେତନ ଓ ସତର୍କ ହେବେ, ସେଥିପାଇଁ ଏହି କଥା ବଖାଣୁଛି ବୋଲି ସେ କହିଛନ୍ତି।

Comments are closed.