Latest Odisha News

BREAKING NEWS

କାହିଁକି ଓ କିପରି ଜାଣନ୍ତୁ, ଆପଣ ଏହି ଅଟୋରେ ମାଗଣା ବୁଲି ପାରିବେ ସହର !

ଭୁବନେଶ୍ୱର: ନାଁ ତାଙ୍କର ସୁକାନ୍ତ ମଲ୍ଲିକ, ପେଶାରେ ସେ ଜଣେ ଅଟୋ ଚାଳକ । ମାତ୍ର, ମନ-ପ୍ରାଣ ଓ ହୃଦୟରେ ଭରି ରହିଛି ଦେଶମାତୃକା ଲାଗି ପ୍ରଚୁର ପ୍ରେମ ଓ ଅସରନ୍ତି ଭକ୍ତି ଭାବନା । ଦେଶର ସ୍ୱାଧୀନତା ଦିବସ ଅବସରରେ ପଥଚାରୀଙ୍କୁ ସେ ମାଗଣାରେ ବୋହି ନେଉଛନ୍ତି ସେମାନଙ୍କର ଗନ୍ତବ୍ୟସ୍ଥଳକୁ । କାରଣ ସେ ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ସୁକାନ୍ତଙ୍କ ଲାଗି ଖୁବ୍ ପବିତ୍ର । ସେ ଆଜିର ଦିନଟିକୁ ତାଙ୍କର ସମସ୍ତ ଝାଳବୁହା ପରିଶ୍ରମ ଦେଶ ଲାଗି ପ୍ରାଣବଳୀ ଦେଇ ସ୍ୱାଧୀନତା ହାସଲ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଲାଗି ଉତ୍ସର୍ଗ କରିଦେଇଛନ୍ତି ।

ଅଟୋକୁ ନିଜର ପେଶା ଭାବେ ଆଦରି ନେଇଥିବା ଏହି ରାଷ୍ଟ୍ରଭକ୍ତ ସୁକାନ୍ତଙ୍କର ଗ୍ରାମ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ରେଞ୍ଚଶାସନ । ସେ କେବଳ ଆଜି ନୁହେଁ ପ୍ରତ୍ୟେକ ସ୍ୱାଧୀନତା ଦିବସ ଓ ଜନରାଜ୍ୟ ଦିବସରେ ମାଗଣାରେ ଯାତ୍ରୀମାନଙ୍କୁ ନେବା ଆଣିବା କରିଥାଆନ୍ତି ।

ସେବା ମନୋବୃତ୍ତିକୁ ଆପଣେଇ ନେଇଥିବା ସୁକାନ୍ତ କେବଳ ସ୍ୱାଧୀନତା ଦିବସ ନୁହେଁ ବରଂ ଶିବରାତ୍ରୀ-ଶ୍ରାବଣ ଜଳଯାତ୍ରା ହେଉ କି ପୁରୀର ରଥଯାତ୍ରା ଏସବୁ ସମୟରେ ମଧ୍ୟ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ମନ୍ଦିରରେ ଛାଡ଼ିଦିଅନ୍ତି ବିନା ପାରିଶ୍ରମିକରେ ।

ତାଙ୍କୁ ଓଡ଼ିଶା ସମ୍ବାଦ ପକ୍ଷରୁ ଯୋଗାଯୋଗ କରିବା ପରେ ସେ କହିଥିଲେ, “ଧାରା ୩୭୦ ଉଚ୍ଛେଦ ହେବା ପରେ ଆମ ଦେଶରେ ସମସ୍ତ ବ୍ୟକ୍ତି ଗୋଟିଏ ସମ୍ବିଧାନ ତଳେ ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ମାନିନେଇଛନ୍ତି । ଏହାକୁ ସମର୍ଥନ କରି ଏବର୍ଷର ସ୍ୱାଧୀନତା ଦିବସ ଅବସରରେ ମୁଁ ସମସ୍ତ ଯାତ୍ରୀଙ୍କୁ ଅଗଷ୍ଟ ୧୪ ଓ ୧୫ ତାରିଖ ଏହି ୨ ଦିନ ଧରି ମାଗଣାରେ ସେବା ଯୋଗାଇ ଦେଉଛି । ମୁଁ ଫୁଲୱାମା ଆକ୍ରମଣ ସମୟରେ ଭାରତର ପାକିସ୍ତାନକୁ କଡ଼ା ଜବାବ ଦେବା ସମୟରେ ମଧ୍ୟ ଏହାକୁ ସମର୍ଥନ କରି ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଦେଇଛି ।”

ରାଜଧାନୀ ଭୁବନେଶ୍ୱରରେ ସାଧାରଣତଃ ନିଜ ଅଟୋକୁ ଚଳାଚଳ କରୁଥିବା ସୁକାନ୍ତ ଜଣେ ପ୍ରକୃତ ଦେଶପ୍ରେମୀ । ତାଙ୍କର ଦେଶ ପ୍ରତି ଏହିପରି ଉତ୍ସର୍ଗୀକୃତ ମନୋଭାବ ଦେଖି ରାଜଧାନୀବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.