Latest Odisha News

BREAKING NEWS

କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍‌ ସେବା: ପୁରୀ, ଭୁବନେଶ୍ୱର ଓ କଟକରୁ ଗଡ଼ିଲା ୫୯ଟି ବସ୍

କଟକ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ସେବା। ଟ୍ରେନ୍ ଦୁର୍ଘଟଣାରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହୋଇଛି। ଆହତ ଓ ମୃତକଙ୍କ ପରିଜନ ଏବେ ସୁଦ୍ଧ ନିଜ ଲୋକ ପାଖରେ ପହଞ୍ଚି ପାରୁ ନାହାନ୍ତି।ଏଥିପାଇଁ ରାଜ୍ୟ ସରକାର ପୁରୀ, ଭୁବନେଶ୍ୱର ଓ କଟକରୁ ଦୈନିକ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ଠାରୁ ହିଁ ମାଗଣା ବସ୍‌ସେବା ଆରମ୍ଭ ହୋଇଯାଇଛି। ଗତକାଲି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ ଏପରି ମୋଟ୍ ୫୯ଟି ବସ୍ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ମାଗଣା ବସ୍‌ ସେବା ମଧ୍ୟରେ ରାଜ୍ୟ ସରକାରଙ୍କର ଓଏସଆରଟିସି ବସ୍ ମଧ୍ୟ ରହିଛି।

ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତ ଓ ତାଙ୍କ ପରିବାରକୁ ସହଯୋଗ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍‌ ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକତା ଯିବା ସମ୍ପୂର୍ଣ୍ଣ ମାଗଣା ହେବ। ଏଥିପାଇଁ କୌଣସି ଭଡ଼ା ଦେବାକୁ ପଡ଼ିବ ନାହିଁ। ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ।

ବାଲେଶ୍ୱର ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ମାଗଣା ବସ୍‌ ସେବା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପରେ ଏ ବାବଦରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଅଧିକ ସୂଚନା ଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୪୮ ଘଣ୍ଟା ପାଇଁ ଏହି ସେବା ଯୋଗାଇ ଦେବାକୁ ଯୋଜନା ହୋଇଛି।

ତେବେ ଦୁର୍ଘଟଣାର ୫୧ ଘଣ୍ଟା ପରେ ଗତକାଲି ରେଳ ଟ୍ରାକ୍‌ରେ ପରୀକ୍ଷା ମୁଳକ ଭାବେ ମାଲବାହୀ ଟ୍ରେନ୍ ଗଡ଼ିଛି। ତେଣୁ ଖୁବ୍‌ଶୀଘ୍ର ଟ୍ରେନ୍‌ ଟ୍ରାକ୍ ପୁନୁରଦ୍ଧାର କାର୍ଯ୍ୟ ଶେଷ ହେବ। ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବକି ହେବ ବୋଲି ଆଶା କରାଯାଉଛି। ଯଦି ନ ହୁଏ ତେବେ ଏହି ମାଗଣା ବସ୍‌ ସେବାର ଅବଧି ବଢ଼ାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି।

ପ୍ରତ୍ୟେକ ଦିନ କୋଲକାତା ଯାଉଥିବା ବସ୍‌ ସମେତ ଷ୍ଟେଟ୍‌ କ୍ୟାରେଜ୍‌ ପରମିଟ୍‌ ଥିବା ପ୍ରତ୍ୟେକ ବସ୍‌ ଏହି ତିନିଟି ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡରୁ କୋଲକାତା ବସ୍‌ ଚଳାଚଳ କରିପାରିବେ। ଓଏସ୍‌ଆର୍‌ଟିସି ବସ୍‌ ମାଗଣା ଚାଲିବାକୁ ଥିବା ବେଳେ ଯେଉଁ ଯାତ୍ରୀମାନ ପୂର୍ବରୁ ଟିକେଟ୍‌ କରି ସାରିଛନ୍ତି ସେମାନଙ୍କର ଏହି ଦେୟ ଫେରସ୍ତ କରିବାକୁ ଯୋଜନା ହୋଇଛି।

ସେପଟେ ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି ।  ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି । ଶନିବାର ରାତିରେ  ୫୧ ଘଣ୍ଟା ପରେ ପରୀକ୍ଷାମୂଳକ ଭାବେ ଗାଡ଼ିଥିଲା ମାଲବାହି ଟ୍ରେନ୍‌ ।

Leave A Reply

Your email address will not be published.