Latest Odisha News

ପ୍ରହସନ ପାଲଟିଲା ‘ରେବିଡି ସଂସ୍କୃତି’ ବନ୍ଦ ଆହ୍ୱାନ, ନିର୍ବାଚନର ଢ଼େର ପୂର୍ବରୁ ଟଙ୍କିକିଆ ଚାଉଳକୁ ମାଗଣା କଲେ ରାଜ୍ୟ ଓ କେନ୍ଦ୍ର ସରକାର

ଭୁବନେଶ୍ୱର: ପ୍ରହସନ ପାଲଟିଲା ‘ରେବିଡି ସଂସ୍କୃତି ଯୋଜନା’ ବନ୍ଦ ନାରା! ଆଗ ଭୋଟବ୍ୟାଙ୍କ ପରେ ନୀତି ଆଦର୍ଶ କଥା! ନିକଟରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ବିଭିନ୍ନ ମାଗଣା ଯୋଜନା ଘୋଷଣା କରିଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଥିଲେ । ଏମିତିକି ମାଗଣା ଯୋଜନା ଜାରି ରହିଲେ ଭାରତ ଶ୍ରୀଲଙ୍କା ଭଳି ଦେବାଳିଆ ହୋଇଯିବ ବୋଲି କୁହାଗଲା। ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ରେବିଡି ସଂସ୍କୁତି ବନ୍ଦ ହେଉ ବୋଲି ଅପିଲ କରିଥିଲେ । କିନ୍ତୁ ରାତ ଗୈଇ ବାତ ଗୈଇ ଭଳି କେନ୍ଦ୍ର ସରକାର ଏହି ରେବିଡି ଯୋଜନା ବାବଦରେ ଚୁପ ହୋଇଯାଇଥିବା ଜଣାପଡୁଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଟଙ୍କିକିଆ ଚାଉଳକୁ ମାଗଣା କରି ଦେଇଛନ୍ତି। ପ୍ରଥମେ କେନ୍ଦ୍ର ସରକାର ନବବର୍ଷରେ ମାସ ପିଛା ପ୍ରତି ହିତାଦିକାରୀ ମାଗଣା ୫ କିଲୋ ଚାଉଳ ପାଇବେ ବୋଲି ଘୋଷଣା କରିଥିଲା ଆଉ ଏହା ପରେ ରାଜ୍ୟରେ ନବୀନ ସରକାର ମଧ୍ୟ ସମାନ ଏକ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଅନୁସାରେ ବଣ୍ଟନ କରାଯାଉଥିବା ଖାଦ୍ୟଶସ୍ୟ ପାଇଁ ଏହି ହିତାଧିକାରୀମାନେ ଏପର୍ଯ୍ୟନ୍ତ ଯେଉଁ ନାମମାତ୍ର ମୂଲ୍ୟ ପୈଠ କରୁଥିଲେ, ୨୦୨୩ରେ ସେମାନଙ୍କୁ ତାହା ମଧ୍ୟ ପୈଠ କରିବାକୁ ପଡ଼ିବ ନାହିଁ। ଅର୍ଥାତ ପୂରା ମାଗଣା। ସରକାର ଏପରି କରି ଗୋଟିଏ ବଡ଼ ଭୋଟ ବ୍ୟାଙ୍କକୁ ନିଜ ପକେଟରେ ରଖିବାକୁ ପ୍ରୟାସ କରିଛନ୍ତି। କାରଣ ଏହି ଘୋଷଣା ଦ୍ୱାରା ୮୧ କୋଟି ହିତାଧିକାରୀ ଉପକୃତ ହେବେ।

ଉଲ୍ଲେଖଯୋଗ୍ୟ, କୋଭିଡ ବେଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରିଥିଲେ । ଏହି ଯୋଜନା ଦ୍ୱାରା କେନ୍ଦ୍ର ସରକାର ପ୍ରତି ହିତାଦିକାରୀଙ୍କୁ ମାଗଣାରେ ୫ କିଲୋ ଲେଖାଏଁ ଚାଉଳ ଯୋଗାଉଥିଲେ । ଏହା ଦ୍ୱାରା ଅନେକ ଲୋକ ଉପକୃତ ହେଉଥିଲେ । ଏଥିପାଇଁ କେନ୍ଦ୍ର ଏଯାବତ୍‌ ପ୍ରାୟ ୩.୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଭାର ବହନ କରିଛି। ଯଦି ଏହି ଯୋଜନାକୁ ଆଉ ଏକ ବର୍ଷ ବଳବତ୍ତର ରଖାଯାଇଥାନ୍ତା, ତେବେ ସରକାରଙ୍କୁ ସେ ବାବଦରେ ଆଉ ୧.୬-୧.୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତା। ତେଣୁ ଏହା ପୂର୍ବରୁ ‘ଏନ୍‌ଏଫ୍‌ଏସ୍‌ଏ’ ମାଧ୍ୟମରେ କରାଯାଉଥିବା ବଣ୍ଟନକୁ ସମ୍ପୂର୍ଣ୍ଣ ମାଗଣା କରି ଦିଆଯିବା ଦ୍ବାରା ଚଳିତ ବର୍ଷ ସରକାରଙ୍କୁ ୨୦ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।

ସେହିପରି ଟଙ୍କିକିଆ ଚାଉଳର ଜନକ ବୋଲି ଦାବି କରି ଆସୁଥିବା ନବୀନ ସରକାର କେନ୍ଦ୍ର ଭଳି ନିଷ୍ପତ୍ତି ନେଇଛନ୍ତି। ୨୦୧୮ ଅକ୍ଟୋବରରୁ ରାଜ୍ୟ ସରକାର ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ଯାହାକି ଏବେ ବର୍ଷକ ପାଇଁ ମାଗଣା ହୋଇଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଖର୍ଚ୍ଚ ବହନ କରୁଛନ୍ତି। ଏଵେ ଚଳିତ ମାସରୁ ଡିସେମ୍ବର ଯାଏ ହିତାଧିକାରୀ ମାଗଣା ଚାଉଳ ପାଇବେ।

ଉଲ୍ଲେଖଯୋଗ୍ୟ, ଯଦି ନିର୍ବାଚନର ଦେଢ଼ ବର୍ଷ ପୂର୍ବରୁ ଏଭଳି ମାଗଣା ଯୋଜନା ଘୋଷଣା ହେଲାଣି ତାହାଲେ ନିର୍ବାଚନ ଇସ୍ତାହାର ବେଳେ କଣ କଣ ଘୋଷଣା ନହେବ?

 

 

Leave A Reply

Your email address will not be published.