ଯାଜପୁର: ମାଟି ତଳେ କୋଟି କୋଟି ଟଙ୍କା, ହେଲେ ମାଟି ଉପରେ ଭୋକର ଭୋଗୋଳର ଚିତ୍ର। ଏହା ହେଉଛି ରାଜ୍ୟର ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର ଚିତ୍ର। ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ଼ ବଡ଼ କମ୍ପାନୀ ଏହି ଜିଲ୍ଲାରେ ରହିଛନ୍ତି। କିନ୍ତୁ ସମାନ ଜିଲ୍ଲାରୁ ଅପପୃଷ୍ଟି ଆକ୍ରାନ୍ତ ଚିହ୍ନଟ ହେବା ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।
୨୦୧୬ରେ ଅପପୁଷ୍ଟିରେ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ପରେ ଯାଜପୁର ଜିଲ୍ଲାର ନଗଡା ଚର୍ଚ୍ଚାର ପରିସରକୁ ଆସିବାର ୭ ବର୍ଷ ପରେ ମଧ୍ୟଜିଲ୍ଲାରେ ଏବେବି ଅପପୃଷ୍ଟି ରୋଗୀ ଦେଖାଦେଇଛି। ଜିଲ୍ଲାର ରଣାଗୁଣ୍ଡି ପଞ୍ଚାୟତର ଘାଟିସାହି ଉପାନ୍ତ ଗାଁରେ ଜଣେ ଛୋଟ ପିଲାର ଅପପୁଷ୍ଟି ଯୋଗୁଁ ମୃତ୍ୟୁ ବରଣ କରିଥିବା ବେଳେ ଭଉଣୀ ଜୀବନ ମରଣ ସହ ସଂଗ୍ରାମ କରୁଛି। ସେ ନିଜେ ଚାଲି ପାରନ୍ତି ନାହିଁ କି ବସି ପାରନ୍ତି ନାହିଁ। ସେ ଏବେ ବିଛଣାରେ ପଡି ରହିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି ବୋଲି ଶିଶୁଟିର ମା’ କହିଛନ୍ତି। ଶିଳ୍ପ ରାଜଧାନୀର ମାନ୍ୟତା ପାଇଥିବା କଳିଙ୍ଗନଗରର ଏହି ଘଟଣା ବୟାନ କରୁଛି ଏବେ ବି ବିକାଶ ଏଠାରେ ଅପହଞ୍ଚ।
ମିଳିଥିବା ସୂଚନା ଅନୁଯାୟୀ, ବାଙ୍କୁ ହେମ୍ବ୍ରମ ତାଙ୍କ ପତ୍ନୀ ତୁଳସୀ ହେମ୍ବ୍ରମ ଓ ନଅଟି ପିଲାଙ୍କୁ ନେଇ ଗାଁରେ ରହୁଛନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର କିଛି ଦିନ ତଳେ ଅପପୁଷ୍ଟିରେ ମୃତ୍ୟୁ ହୋଇଥିଲା। ଏବେ ତାଙ୍କର ଜଣେ ଝିଅର ପ୍ରାଣଘାତୀ ଅବସ୍ଥା ଯୋଗୁଁ ସେ ଶଯ୍ୟାଶାୟୀ ହୋଇପଡିଛନ୍ତି।
ଏହାବ୍ୟତୀତ ବାଙ୍କୁଙ୍କ ଅନ୍ୟ ପିଲାମାନେ ମଧ୍ୟ ଧୀରେ ଧୀରେ ଅପପୁଷ୍ଟିର ଶିକାର ହେଉଛନ୍ତି। ଅସହାୟ ପରିବାର ସାହାଯ୍ୟ ପାଇଁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଦିନ ମଜୁରିଆ ବାଙ୍କୁଙ୍କ ପାଖରେ ରାସନ କାର୍ଡ ଥିଲେ ମଧ୍ୟ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି। ପାଣି ଚାଉଳ ଓ ଲୁଣ ଖାଇ ପରିବାର ଚଳାଉଥିବା ସୂଚନା ମିଳିଛି।
ନାବାଳିକାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସୂଚନା ପାଇବା ପରେ ଡିସିପିଓ ତାଙ୍କ ଟିମ୍ ସହ ଗାଁକୁ ଯାଇ ସମସ୍ତ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସୁକିନ୍ଦାରେ ଅବଜରଭେସନରେ ରଖାଯାଇଛି।
ଯାଜପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା କହିଛନ୍ତି, ଏଠାରେ ନ୍ୟୁଟ୍ରିସନ୍ ରିହେବିଲିଟେସନ୍ ସେଣ୍ଟର ଅଛି, ଜଣେ କାଉନସିଲର, ଥେରାପିଷ୍ଟ, ଶିଶୁ ବିଶେଷଜ୍ଞ ଅଛନ୍ତି, ଯେଉଁମାନେ ଏବେ ଶିଶୁଟିକୁ ଦେଖୁଛନ୍ତି। ପୂର୍ବରୁ ଆଉ ଜଣେ ଶିଶୁଙ୍କୁ ଡିଏଚ୍ଏଚରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସମସ୍ୟା ହେଉଛି ଲୋକମାନେ କୁପୋଷଣ ବିଷୟରେ ଅଜ୍ଞ ଏବଂ ଡାକ୍ତରଖାନା ଆସିବାକୁ ଚାହୁଁନାହାନ୍ତି। ତେଣୁ ଆମେ ଖୁବ୍ ଶୀଘ୍ର ଏକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରୁଛୁ।
ଅନ୍ୟପଟେ ବାଙ୍କୁ ଦିନ ମଜୁରିଆ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଆଧାର କାର୍ଡ ନଥିବାରୁ ସେ ସରକାରୀ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି।
Comments are closed.