ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଏଠାରେ ଆରମ୍ଭ ହେବ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ଆସନ୍ତୁ ନଜର ପକାଇବା ୧୯୪୭ରୁ ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ପ୍ରଦର୍ଶନ କିପରି ଥିଲା ।
୧୯୪୭-୪୮: ସ୍ୱାଧୀନତା ହାସଲ କରିବାର ୪ ମାସ ପରେ ଭାରତୀୟ ଟିମ ଏହି ଗସ୍ତରେ ଯାଇଥିଲା । ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୦ରେ ଜିତିଥିଲା । ରେ ଲିଣ୍ଡୱେଲ ୧୮ୱିକେଟ ନେଇଥିଲେ । ଭାରତ ପକ୍ଷରୁ ବିଜୟ ହଜାରେ ସର୍ବାଧିକ ୪୨୯ ରନ କରିଥିଲେ ।
୧୯୬୭-୬୮: ଏହି ଗସ୍ତରେ ବି ଭାରତର ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ନ ଥିଲା । ଭାରତ ୦-୪ରେ ସିରିଜ ହାରିଥିଲା । ଏମଏଲ ଜୟସିହ୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ବ୍ରିସବେନରେ ମାତ୍ର ୩୫ ରନ ପାଇଁ ପ୍ରଥମ ଟେଷ୍ଟ ବିଜୟରୁ ରହି ଯାଇଥିଲା । ଜୟସିହ୍ମା ୧୦୧ ରନ କରିଥିଲେ । ଇରାପଲ୍ଲୀ ପ୍ରସନ୍ନା ୨୫ ୱିକେଟ ନେଇଥିଲେ ।
୧୯୭୭-୭୮: ଏହି ସିରିଜ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ଅଷ୍ଟ୍ରେଲିଆ ୩-୨ରେ ସିରିଜ ଜିତିଥିଲା । ଭାରତୀୟ ଟିମ ମେଲବୋର୍ଣ୍ଣ ଓ ସିଡନୀରେ ଟେଷ୍ଟ ଜିତି ଇତିହାସ ରଚିଥିଲା । ଆଡିଲେଡରେ ୪୭ ରନ ପରାଜୟ ଯୋଗୁ ଭାରତ ସିରିଜ ହାତେଇ ପାରି ନ ଥିଲା । ମହିନ୍ଦର ଅମରନାଥ, ଗୁଣ୍ଡାପ୍ପା ବିଶ୍ୱନାଥ, ଦିଲୀପ ଭେଙ୍ଗସରକାର ଓ ସୟେଦ କିରମାନୀ ଶତକ ହାସଲ କରିଥିଲେ । ବିଶେନ ସିଂ ବେଦୀ ୩୧ ୱିକେଟ ଅକ୍ତିଆର କରିଥିଲେ ।
୧୯୮୦-୮୧: ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା । ମେଲବୋର୍ଣ୍ଣରେ କପିଳ ଦେବଙ୍କ ୫ ୱିକେଟ ଏବଂ ବିଶ୍ୱନାଥଙ୍କ ଶତକ ବଳରେ ଭାରତ ସିରିଜ ଡ୍ର କରିଥିଲା ।
୧୯୮୫-୮୬: ୩ ମ୍ୟାଚ ବିଶିଷ୍ଟ ସିରିଜ ୦-୦ରେ ଡ୍ର ରହିଥିଲା । ଏହି ସିରିଜରେ ସୁନୀଲ ଗାଭାସ୍କର ୩୫୨ ରନ କରିଥିଲେ । ଗ୍ରେଗ ଚ୍ୟାପେଲ, ରଡ ମାର୍ଶ ଓ ଡେନିସ ଲିଲିଙ୍କ ଅବସର ପରେ ଯୁବ ଅଷ୍ଟ୍ରେଲିଆ ଟିମ ଭାରତକୁ ବିଶେଷ ଭାବେ ଅସୁବିଧାରେ ପକାଇ ପାରି ନ ଥିଲା ।୧୯୯୧-୯୨: ଆଲାନ ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୦ରେ ଜିତିଥିଲା । ଯୁବ ସଚିନ ତେନ୍ଦୁଲକରଙ୍କ ପର୍ଥରେ ଶତକ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ଶେନ ୱର୍ଣ୍ଣଙ୍କ ସ୍ପିନ ଯାଦୁଗରୀ ସାରା ଦୁନିଆ ଦେଖିଥିଲା ।
୧୯୯୯-୨୦୦୦: ପୂନର୍ବାର ଅଷ୍ଟ୍ରେଲିଆ ୩-୦ରେ ସିରିଜ ଜିତି ନେଇଥିଲା । ଭାରତ ପାଇଁ ଏହି ସିରିଜ ବେଶ ନୈରାଶ୍ୟଜନକ ରହିଥିଲା । ଗ୍ଲେନ ମ୍ୟାକଗ୍ର ୧୮ ୱିକେଟ ନେଇଥିଲେ ।
୨୦୦୩-୦୪: ୪ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା । ଅଜିତ ଅଗରକର ଓ ରାହୁଲ ଡ୍ରାଭିଡଙ୍କ ସ୍ମରଣୀୟ ପ୍ରଦର୍ଶନ ସହାୟତାରେ ଭାରତ ଆଡିଲେଡ ଟେଷ୍ଟ ଜିତିଥିଲା ।
୨୦୦୭-୦୮: ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଥିଲା । ଷ୍ଟିଭ ବକନରଙ୍କ ଅମ୍ପାୟରିଂ ବେଶ ନୈରାଶ୍ୟଜନକ ରହିଥିଲା । ହରଭଜନ ସିଂ ଓ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ମଙ୍କିଗେଟ ବିବାଦ ଏହି ସିରିଜରେ ଓହରିଥିଲା ।
୨୦୧୧-୧୨: ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ୪-୦ରେ ସିରିଜ ଜିତିନେଇଥିଲା । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଟିମର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଥିଲା । ରାହୁଲ ଡ୍ରାଭିଡ ଓ ଭିଭିଏସ ଲକ୍ଷ୍ମଣଙ୍କ ଏହା ଶେଷ ସିରିଜ ଥିଲା ।
୨୦୧୪-୧୫: ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଥିଲା । ମେଲବୋର୍ଣ୍ଣ ଟେଷ୍ଟ ଡ୍ର ରହିବା ପରେ ଧୋନୀ ଟେଷ୍ଟ ଟିମ ଅଧିନାୟକ ପଦ ଛାଡିଥିଲେ । ବିରାଟ କୋହଲି ସିଡନୀ ଟେଷ୍ଟରେ ଦଳର ନେତୃତ୍ୱ ନେବା ସହ ୧୪୭ ରନର ଇନିଂସ ଖେଳିଥିଲେ ।
୨୦୧୮-୧୯: ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଏସୀୟ ଟିମ ଭାବେ ଭାରତ ସିରିଜ ଜିତିଥିଲା । ଚେତେଶ୍ୱର ପୂଜାରା ୫୨୧ ରନ କରିଥିଲେ । ଯଶପ୍ରୀତ ବୁମରାହ ୨୧ ୱିକେଟ ନେଇଥିଲେ ।୨୦୨୦-୨୧: ଭାରତ ପୂନର୍ବାର ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଥିଲା । ଆଡିଲେଡରେ ଭାରତ ୩୬ ରନରେ ଅଲଆଉଟ ହୋଇ ଯାଇଥିଲା । ମେଲବୋର୍ଣ୍ଣ ଓ ବ୍ରିସବେନରେ ରିଷଭ ପନ୍ତ, ପୂଜାରା ଓ ରବିଚନ୍ଦ୍ରନ ଅଶ୍ୱୀନ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । କୋହଲି ସିରିଜ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱ ନେଇଥିଲେ ।