Latest Odisha News

BREAKING NEWS

Maoist To Model: ମାଓବାଦୀ କ୍ୟାମ୍ପରୁ ମଡେଲିଂ ରାମ୍ପ୍‌, ଚମକାଇଦେଲା ଆତ୍ମସମର୍ପଣକାରୀ ମହିଳା ନକ୍ସଲଙ୍କ ନୂଆ ଅବତାର!

ରାୟପୁର: ଦିନେ ଜଙ୍ଗଲରେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ, ଆଉ ଆଜି ସେହି ମହିଳାମାନେ ଆତ୍ମବିଶ୍ୱାସର ସହ ଚାଲିଲେ ଫ୍ୟାଶନ୍‌ ରାମ୍ପ୍‌ରେ। ଛତିଶଗଡ଼ର ବସ୍ତର ଅଞ୍ଚଳର ଆତ୍ମସମର୍ପଣକାରୀ ମହିଳା ମାଓବାଦୀଙ୍କ ଏହି ନୂଆ ରୂପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।

ରାୟପୁରରେ ଆୟୋଜିତ ଜାତୀୟ ହସ୍ତତନ୍ତ ଦିବସ-୨୦୨୬ କାର୍ଯ୍ୟକ୍ରମରେ ଏହି ମହିଳାମାନେ ପାରମ୍ପରିକ ଛତିଶଗଡ଼ୀ ହସ୍ତତନ୍ତ ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲିଥିଲେ। କୋସା ସିଲ୍କ ଓ ହାତବୁଣା ପୋଷାକରେ ସଜେଇ ହୋଇଥିବା ସେମାନଙ୍କୁ ଦେଖି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଯେଉଁ ହାତ ଦିନେ ବସ୍ତରର ଜଙ୍ଗଲରେ ମାଓବାଦୀ ହିଂସା ଓ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧାରଣ କରୁଥିଲା, ଆଜି ସେହି ହାତ ଦେଶର ସମୃଦ୍ଧ ହସ୍ତତନ୍ତ କଳାକୁ ପ୍ରଦର୍ଶିତ କରୁଛି। ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ଅବସରରେ ଆୟୋଜିତ ଏକ ସ୍ୱଦେଶୀ ଫ୍ୟାସନ୍ ଶୋ’ରେ ବସ୍ତରର ବହୁ ଆତ୍ମସମର୍ପଣକାରୀ ମହିଳା ନକ୍ସଲ ଆତ୍ମବିଶ୍ୱାସର ସହ ରାମ୍ପ୍‌ ୱାକ୍ କରି ସମସ୍ତଙ୍କ ମନ ଜିଣିନେଇଛନ୍ତି। ବସ୍ତରର ପୁନର୍ବାସ କେନ୍ଦ୍ରରୁ ଆସିଥିବା ଏହି ମହିଳାମାନଙ୍କୁ ମୁମ୍ବାଇରୁ ଆସିଥିବା ପେସାଦାର ଟ୍ରେନରମାନେ  ଆତ୍ମବିଶ୍ୱାସ ବୃଦ୍ଧିର ତାଲିମ ଦେଇଥିଲେ।

ଏହା କେବଳ ଏକ ଫ୍ୟାଶନ୍‌ ଶୋ’ ନଥିଲା। ଏହା ଥିଲା ହିଂସାର ରାସ୍ତା ଛାଡ଼ି ସାଧାରଣ ଜୀବନକୁ ଫେରିଥିବା ମହିଳାଙ୍କ ପୁନର୍ବାସ, ସଶକ୍ତୀକରଣ ଓ ନୂଆ ଆରମ୍ଭର ପ୍ରତୀକ। କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଏହି ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଅନେକ ପୂର୍ବତନ ମାଓବାଦୀ ଏବେ ନୂଆ ଜୀବିକା ଗଢ଼ିବା ସହ ସାମାଜିକ କାର୍ଯ୍ୟ ଓ ବିଭିନ୍ନ ସଂଗଠନ ସହ ଜଡ଼ି ରହିଛନ୍ତି। ରାମ୍ପ୍‌ରେ ସେମାନଙ୍କ ଆତ୍ମବିଶ୍ୱାସ ଏବେ ଇଣ୍ଟରନେଟ୍‌ରେ ମଧ୍ୟ ପ୍ରଶଂସା ସାଉଁଟୁଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାମ୍ପ୍ ଭିଡିଓକୁ ନେଇ ଅନେକ ୟୁଜର କହିଛନ୍ତି, କିଛି ବର୍ଷ ପୂର୍ବରୁ ଯେଉଁ ଦୃଶ୍ୟ କଳ୍ପନା କରିବା ବି କଷ୍ଟକର ଥିଲା, ଆଜି ସେହି ମହିଳାମାନେ ମୁଖ୍ୟଧାରାକୁ ଫେରି ନୂଆ ପରିଚୟ ଗଢ଼ୁଛନ୍ତି।

Leave A Reply

Your email address will not be published.