ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଗତ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଏକ କାପୁରୁଷପୂର୍ଣ୍ଣ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ଭାରତ ବିଶ୍ୱ ସମ୍ମୁଖରେ ଖୋଲାଖୋଲି ଘୋଷଣା କରିଥିଲା ଯେ, ଏହି ଆକ୍ରମଣର ଦୋଷୀ ଏବଂ ଏହା ପଛରେ ଥିବା ଆତଙ୍କବାଦୀ ସଂଗଠନକୁ କୌଣସି ମତେ ଛାଡ଼ି ଦିଆଯିବ ନାହିଁ। ଠିକ୍ ଏହାର ଜବାବ ମଧ୍ୟ ଦିଆଗଲା। ଆକ୍ରମଣର ୧୫ ଦିନ ପରେ ଭାରତ ‘ଅପରେସନ ସିନ୍ଦୂର’ ଅଧୀନରେ ଆତଙ୍କବାଦୀ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରି ପାକିସ୍ତାନ ସମର୍ଥିତ ଅନେକ ଆତଙ୍କବାଦୀଙ୍କୁ ନିପାତ କଲା।
‘ଅପରେସନ ସିନ୍ଦୁର’ ଓ ଭାରତ-ପାକିସ୍ତାନ ସଂଘର୍ଷର ଘଟଣାକ୍ରମ
‘ଅପରେସନ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନ ଓ ପାକ-ଅଧିକୃତ କଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଠିକଣା ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହା ପରେ ପାକିସ୍ତାନ ବିଚଳିତ ହୋଇ ଭାରତ ବିରୋଧରେ ଆଟାକ୍ ଆରମ୍ଭ କରିଥିଲା ଏବଂ ୩ ଦିନ ଧରି ଭାରତର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା। କିନ୍ତୁ ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ଡିଫେନ୍ସ ସିଷ୍ଟମ) ଓ ଭାରତୀୟ ସେନା ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଥିଲା। ଶେଷରେ ପାକିସ୍ତାନ ଅସ୍ତ୍ର ବିରତି (ସିଜଫାୟାର) ପାଇଁ ଅନୁରୋଧ କରିଥିଲା। ପ୍ରାୟ ୮୬ ଘଣ୍ଟା ସଂଘର୍ଷ ପରେ ଭାରତ ଓ ପାକିସ୍ତାନ ଶନିବାର ସନ୍ଧ୍ୟା ୫ଟାରୁ ସିଜଫାୟାର ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କ’ଣ କ’ଣ ଘଟିଥିଲା, ଆସନ୍ତୁ ଜାଣିବା।
୭ ମେ: ଭାରତ ଆରମ୍ଭ କଲା ‘ଅପରେସନ ସିନ୍ଦୂର’
ପହଲଗାମରେ ଆତଙ୍କବାଦୀଙ୍କ କାପୁରୁଷପୂର୍ଣ୍ଣ ଆକ୍ରମଣର ୧୫ ଦିନ ପରେ, ଅର୍ଥାତ୍ ୭ ମେ ଭୋର ସକାଳେ ଭାରତ ‘ଅପରେସନ ସିନ୍ଦୂର’ ଅଧୀନରେ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଭାରତୀୟ ସେନା ଅନୁଯାୟୀ, ଏହି ଅପରେସନ ବିଳମ୍ୱିତ ରାତି ୧:୦୩ରୁ ୧:୩୫ ମଧ୍ୟରେ ଚାଲିଥିଲା। ଏହି ସମୟରେ ଭାରତୀୟ ସେନା ଓ ନୌସେନା ମିଳିତ ଭାବେ ପାକିସ୍ତାନ ଓ PoKରେ ଥିବା ଆତଙ୍କବାଦୀଙ୍କ ୯ଟି ଠିକଣାକୁ ଧ୍ୱଂସ କରିଥିଲେ।
ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ସିଆଲକୋଟସ୍ଥିତ ମହମୁନା ଜୋୟା ଆତଙ୍କବାଦୀ ଶିବିର, PoKର କୋଟଲିସ୍ଥିତ ଗୁଲପୁର ଆତଙ୍କବାଦୀ ଶିବିର ଏବଂ ଅବ୍ବାସ ଆତଙ୍କୀ ଗୋଷ୍ଠୀର ଠିକଣାକୁ ଧ୍ୱଂସ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ସହ ଇଜରାଏଲର ଜଣେ ସାମ୍ବାଦିକଙ୍କ ହତ୍ୟାର ଦୋଷୀ ମଧ୍ୟ ନିପାତ ହୋଇଥିଲେ। ଭାରତୀୟ ସେନା ଏହାର ବୟାନରେ ସ୍ପଷ୍ଟ କରିଥିଲା ଯେ, ଏହାର ନିଶାନା ପାକିସ୍ତାନର ସାମରିକ ଅଡ୍ଡା ନୁହେଁ, ବରଂ ଆତଙ୍କବାଦୀ ଶିବିର ଥିଲା।
୮ ମେ: ଭାରତର ଜବାବରୁ ବିଚଳିତ ହେଲା ପାକିସ୍ତାନ
ଭାରତର ଏହି ଜବାବୀ କାର୍ଯ୍ୟାନୁଷ୍ଠାନରୁ ପାକିସ୍ତାନ ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଥିଲା। ୮ ମେ’ରେ ପାକିସ୍ତାନ ନିୟନ୍ତ୍ରଣ ରେଖା (LOC)ରେ ସଂଘର୍ଷ ବିରତି ଉଲ୍ଲଂଘନ କରିଥିଲା। ସେହି ରାତିରେ ପାକିସ୍ତାନ ଡ୍ରୋନ ଓ ମିସାଇଲ ବ୍ୟବହାର କରି ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଳା, ଜଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡୀଗଡ଼, ନଲ, ଫଲୌଦି, ଉତ୍ତରଲାଇ ଓ ଭୁଜ ସମେତ ଉତ୍ତର ଓ ପଶ୍ଚିମ ଭାରତର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ସେନା ଏହି ଆକ୍ରମଣକୁ ବିଫଳ କରିଥିଲା।
୯ ମେ ତୀବ୍ର ହୋଇଥିଲା ଆକ୍ରମଣ
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ତୃତୀୟ ଦିନ ଅର୍ଥାତ୍ ୯ ମେ’ରେ ଅନ୍ତର୍ଜାତୀୟ ସୀମା (ଇଣ୍ଟରନାସନାଲ ବର୍ଡର) ଏବଂ ନିୟନ୍ତ୍ରଣ ରେଖା (LOC)ରେ ସିଜଫାୟାର ଉଲ୍ଲଂଘନ କରିଥିଲା। ଏହି ରାତିରେ ପାକିସ୍ତାନ ଗୁଜରାଟରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ସୀମା ଅତିକ୍ରମ କରି ଭାରତର ୧୫ଟି ସହର ଉପରେ ଆକ୍ରମଣ କରିବାକୁ ଜୋରଦାର ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଥିଲା। ପାକିସ୍ତାନ LOCରେ ଭାରତର ୩୬ଟି ଅଞ୍ଚଳ ଉପରେ ୩୦୦ରୁ ୪୦୦ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲା, କିନ୍ତୁ ଏଥର ମଧ୍ୟ ସେ ନିରାଶ ହୋଇଥିଲା।
ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ
ପାକିସ୍ତାନର ଏହି ଆକ୍ରମଣ ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଭାରତ ପାକିସ୍ତାନର ଅନେକ ସହର ଯଥା ଲାହୋର, ଇସଲାମାବାଦ, କରାଚୀ, ସିଆଲକୋଟ, ବାହାଓ୍ୱାଲପୁର ଏବଂ ପେଶାୱାରକୁ ନିଶାନା କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନକୁ ବଡ଼ ଧରଣର କ୍ଷୟକ୍ଷତି ହୋଇଥିଲା। ସେହି ରାତିରେ ଭାରତ ପାକିସ୍ତାନର ଉନ୍ନତ J-17 ଯୁଦ୍ଧବିମାନକୁ ମାରି ପକାଇଥିଲା। J-17 ଯୁଦ୍ଧବିମାନଟି ପାକିସ୍ତାନ ଚୀନଠାରୁ କିଣିଥିଲା। ଏହା ସହ ପାକିସ୍ତାନ ଭାରତ ବିରୋଧରେ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିଲା।
୧୦ ମେ: ପାକିସ୍ତାନର ୪ଟି ଏୟାରବେସ୍ ଧ୍ୱଂସ
୧୦ ମେ’ ରାତିରେ ମଧ୍ୟ ପାକିସ୍ତାନ ସୀମା ଅତିକ୍ରମ କରି ଭାରତ ଉପରେ ଅନେକ ଆକ୍ରମଣ କରିଥିଲା। ଏଥର ପାକିସ୍ତାନ ଭାରତର ଆବାସିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରିଥିଲା। ପାକିସ୍ତାନ ହରିଆଣା, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳ ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ଡିଫେନ୍ସ ସିଷ୍ଟମ) ଏହାକୁ ଆକାଶରେ ହିଁ ଧ୍ୱଂସ କରି ଦେଇଥିଲା। ଏହା ସହ ପାକିସ୍ତାନ ଭାରତର ଉଦମପୁର, ଅବନ୍ତୀପୁରା ଏବଂ ଶ୍ରୀନଗର ଏୟାରବେସ୍ ଉପରେ ଡ୍ରୋନ ଓ ଦୀର୍ଘ ଦୂରତ୍ୱ ମିସାଇଲ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେଥିରେ ସେ ବିଫଳ ହୋଇଥିଲା।
ଏହା ପରେ ଭାରତ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୪ଟି ବଡ଼ ଏୟାରବେସ୍ ଧ୍ୱଂସ ହୋଇଯାଇଥିଲା। ଏହି ଆକ୍ରମଣରେ ରାୱଲପିଣ୍ଡିସ୍ଥିତ ନୂର ଖାନ ଏୟାରବେସ୍, ଶୋରକୋଟରେ ଥିବା ରାଫିକି ବାୟୁସେନା ଅଡ୍ଡା ଏବଂ ମୁରିଦ ଏୟାରଫୋର୍ସ ବେସ୍କୁ ନିଶାନା କରାଯାଇଥିଲା। ଏହା ସହ ପାକିସ୍ତାନ ପକ୍ଷରୁ ପଠାଯାଇଥିବା ଡ୍ରୋନର ଭଗ୍ନାଂଶ ଯୋଗୁ ଅନେକ ଲୋକ ଆହତ ହୋଇଥିଲେ। ପଞ୍ଜାବର ଫିରୋଜପୁରସ୍ଥିତ ଖୋଇ ଗାଁରେ ଏକ ଜଳୁଥିବା ଡ୍ରୋନ ଖସିଥିଲା।
Comments are closed.