Latest Odisha News

BREAKING NEWS

ମେହୁଲ ଚୌକସିର ରହସ୍ୟମୟୀ ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି । ଭାରତ ସରକାରଙ୍କ ଅପିଲ୍ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବେଲଜିୟମ ସରକାର । ସ୍ବିଜରଲାଣ୍ଡ ପଳାଇବାକୁ ଯୋଜନା କରୁଥିବା ବେଳେ ମେହୁଲ ଚୌକସିକୁ ଗିରଫ କରିଛନ୍ତି ଭାରତ ଓ ବେଲଜିୟମର ମିଳିତ ଟିମ୍ । ବେଲଜିୟମର ଆଣ୍ଟେରାପରେ ପତ୍ନୀ ପ୍ରୀତି ଚୌକସିଙ୍କ ସହ ମେହୁଲ ଚୌକସି ରହୁଥିବା ନେଇ ସୂଚନା ମିଳିବା ପରେ ତାକୁ ଧରିବାକୁ ତତ୍ପରତା ଦେଖାଇଥିଲା ଭାରତ । ତେବେ ପଳାତକ ମେହୁଲ ଚୌକସି ସହ ଯୋଡି ହୋଇରହିଛି ହନିଟ୍ରାପ୍ ଓ ଅପହରଣର ରୋଚକ କାହାଣୀ । ହଙ୍ଗେରୀର ମହିଳା ବାରବରା ଜବାରିକାଙ୍କ ସହ ଚୌକସିର  ସଂପର୍କକୁ ନେଇ ହୋଇଥିଲା ଚର୍ଚ୍ଚା ।

ବାରବରା ଜବାରିକା କିଏ?

ଭାରତରୁ ଖସି ୨୦୧୮ ଜାନୁଆରୀରେ ଆଣ୍ଟିଗୁଆରେ ପହଞ୍ଚିଥିଲା ମେହୁଲ ଚୌକସି । ସେଠାରେ ପ୍ରବଳ ପଇସା ଖର୍ଚ୍ଚ କରି ସେଠାକାର ନାଗରିକତା ନେଇଥିଲା । ତେବେ ୨୦୨୧ ମେରେ ମେହୁଲ ଚୌକସିକୁ ଡୋମିନିକାନ ଗଣରାଜ୍ୟରେ ଦେଖିବାକୁ ମିଳିଥିଲା । ସେଠାରେ ଅବୈଧ ପ୍ରବେଶ ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ସେତେବେଳେ ତାକୁ ଆଣ୍ଟିଗୁଆରୁ ଅପହରଣ କରି ନୌକାରେ ଡୋମିନିକାନ ଗଣରାଜ୍ୟ ନିଆଯାଇଥିବା ଅଭିଯୋଗ କରିଥିଲା ମେହୁଲ ଚୌକସି । ତାକୁ ହନିଟ୍ରାପରେ ବାରବରା ଜବାରିକା ନାମିକା ଜଣେ ମହିଳା ଫସାଇଥିବା କହିଥିଲା । ପଡୋଶୀ ବାରବାର ପ୍ରଥମେ ବନ୍ଧୁତା କରିବା ସହ ଡିନର ପାଇଁ ଘରକୁ ଡାକି ତାକୁ ଅପହରଣକାରୀଙ୍କୁ ଦେଇ ଦେଇଥିବା ମେହୁଲ ଚୌକସି କହିଥିଲା ।

ଫସାଇବାକୁ ପ୍ଲାନ୍…ନିଜେ ଫସିଗଲା ଚୌକସି

ମେହୁଲ ଚୌକସିର ହନିଟ୍ରାପ ଅଭିଯୋଗକୁ ଖଣ୍ଡନ କରିଥିଲେ ବାରବରା ଜବାରିକା । ୨୦୨୦ରେ ମେହୁଲ ଚୌକସି ନିଜକୁ ରାଜ ଭାବେ ପରିଚୟ ଦେଇ ତାଙ୍କ ସହ ବନ୍ଧୁତା ପାଇଁ ହାତ ବଢାଇଥିବା ଜବାରିକା କହିଥିଲେ। ସେ ବାରମ୍ବାର ରାଜଙ୍କ ସହ ଦେଖା କରିଥିଲେ ବି ସେ ଅର୍ଥନୈତିକ ଅପରାଧ ପରେ ଭାରତରୁ ଖସି ପଳାଇ ଆସିଥିବା ଜାଣି ପାରିନଥିଲେ ବୋଲି କହିଥିଲେ । ଉଭୟଙ୍କ ମଧ୍ୟରେ ସଂପର୍କ ଥିବା ବେଳେ ମେହୁଲ ଚୌକସି ଜବାରିକାଙ୍କୁ ହୀରା ବ୍ରେସଲେଟ୍, ମୁଦି ପରି ଅନେକ ଉପହାର ଦେଇଥିଲା । ତେବେ ପରେ ସେସବୁ ନକଲି ହୋଇଥିବା ଜଣାପଡିଥିଲା । ତାଙ୍କ ନାଁ କହି ମେହୁଲ ଚୌକସି ଅପହରଣ କାହାଣୀରେ ମିଛ ସମବେଦନା ନେବାକୁ ଉଦ୍ୟମ କରୁଥିବା ବାରବରା ଜବାରିକା କହିଥିଲେ ।

ଗାର୍ଲଫ୍ରେଣ୍ଡ ନା ହନିଟ୍ରାପ୍ !

ମେହୁଲ ଚୌକସିର ପତ୍ନୀ ପ୍ରୀତି ମଧ୍ୟ ବାରବରା ଜବାରିକା ହନିଟ୍ରାପରେ ସାମିଲ ଥିବା ଅଭିଯୋଗ କରିଥିଲେ । ତେବେ ସେ ଚୌକସିର ଗାର୍ଲଫ୍ରେଣ୍ଡ ଥିଲେ ବୋଲି ଜବାରିକା କହିଥିଲେ । ଏପରିକି ମେହୁଲ ଚୌକସି ନିଜେ କ୍ୟୁବା ଯିବାକୁ ଉଦ୍ୟମ କରୁଥିବା କହିବା ସହ ସେଠାରେ ଭେଟିବାକୁ ତାଙ୍କୁ ଅଫର ଦେଇଥିବା ବି କହିଥିଲେ । ସେପଟେ ଅପହରଣକାରୀ ତାକୁ ମାଡ଼ ମାରିବା ବେଳେ କିମ୍ବା ନଉକାରେ ନେବା ବେଳେ ଜବାରିକା ଅଟକାଇବାକୁ ଉଦ୍ୟମ କରିନଥିବା ଚୌକସି କହିଥିଲା । ଏଥିରୁ ଜବାରିକା ପୂରା ଯୋଜନାର ଅଂଶ ବିଶେଷ ରହିଥିବା ସ୍ପଷ୍ଟ ବୋଲି ସେ କହିଥିଲା ।

ମେହୁଲ ଚୌକସିକୁ ଡୋମିନିକାନ ଗଣରାଜ୍ୟରେ ୫୧ଦିନ କଏଦ ରଖାଯାଇଥିଲା । ପରେ ସେ ଆଣ୍ଟିଗୁଆ ଫେରି ଆସିଥିଲା, ଫଳରେ ସେତେବେଲେ ତାକୁ ଭାରତକୁ ପ୍ରତ୍ୟର୍ପଣ ଉଦ୍ୟମ ବିଫଳ ହୋଇଥିଲା । ଗତବର୍ଷ ଚୌକସି ବେଲଜିୟମରେ ଥିବା ଭାରତ ଜାଣିବାକୁ ପାଇଥିଲା। ବେଲଜିୟମ ଏଜେନ୍ସିଙ୍କୁ ଭାରତ ମେହୁଲ ଚୌକସିର ଦୁର୍ନୀତି ନେଇ ତଥ୍ୟ ଦେଖାଇଥିଲା । ଏହାପରେ ବେଲଜିୟମରେ ଚୌକସିକୁ ଗିରଫ କରାଯାଇଛି । ତେବେ ସେ ସେଠାରୁ ସ୍ବଜରଲ୍ୟାଣ୍ଡ ଖସିଯିବା ପ୍ଲାନରେ ଥିବା ଜଣାପଡିଛି । ଚୌକସିର ପତ୍ନୀ ପ୍ରୀତି ବେଲଜିୟମ ନାଗରିକ । ଏହାପୂର୍ବରୁ ଚୌକସିର ଓକିଲ ମୁମ୍ବାଇର ଏକ କୋର୍ଟରେ ସେ କ୍ୟାନସର ଚିକିତ୍ସା ପାଇଁ ବେଲଜିୟମରେ ରହିଥିବା ଜଣାଇଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମେହୁଲ ଚୌକସି, ପୁତୁରା ନୀରବ ମୋଦି ସହ ଅନ୍ୟ କିଛି ଜଣଙ୍କ ନାଁ ରହିଛି । ୨୦୧୮ରେ ସିବିଆଇ ମାମଲାର ତଦନ୍ତ କରିବା ପରେ ଫେରାର ହୋଇଯାଇଥିଲା ଚୌକସି ।

Comments are closed.